ରାଜ୍ୟ କଥା
ରାଜ୍ୟ କଥା
କବିତା ଆସର ବସିଥିଲା,
ଶବ୍ଦ ବି ଖୋଜା ଚାଲିଥିଲା
ଆଣ୍ଟିନା ସବୁରି ଆକାଶ ତରଙ୍ଗେ
ଟିଂ ଟଂ କରି ବାଜୁଥିଲା ।1।
ହଜିଥିଲେ ସବୁ ଛନ୍ଦ ଓ ଲୟ
ସ୍ୱର,ଭାବ,ଆଉ ଭାବାର୍ଥଟିଏ
ଯୋଡିଯାଡି ଦେଇ ପଦ ଖଞ୍ଜା ଖଞ୍ଜି
ଗଢିଉଠୁଥିଲା କବିତାଟିଏ ।2।
ସାହିତ୍ୟ ମନ୍ଦିରେ ରାଜନୀତି ଚାଲେ
ସଭାପତି ପାଇଁ ଚାଲେ ଲବି
ଚଉକିଟଣାର ଅଭିନବ ଦୃଶ୍ୟ
କିଏ ସେ ହୋଇବ ବଡ କବି ।3।
ଭଞ୍ଜ ,ସରୋଜିନୀ, ଗୋପବନ୍ଧୁ ଆଦି
ମାନ୍ୟଗଣ ଫଟୁ ଚାହୁଁ ଥିଲେ
ସାହିତ୍ୟ ସାଗରେ ମୀନ ମାର୍କେଟ ଦେଖି
ଫଟୋରୁ ମୁଣ୍ଡରେ ହାତ ଦେଲେ ।4।
କଥା କି କବିତା ଯାହା ଦେଲେ ଲେଖି
ମାଇକରେ ଯାଏ ପଢା
ମୂଲ୍ୟବୋଧ ମୂଲ୍ୟବନ୍ତ ନ ବୁଝନ୍ତି
ହାତ ତାଳି ପଡେ ବଡା ବଡା ।5।
ଉଠରେ ଉତ୍କଳ ଯୋଗ୍ୟ ଦାୟାଦ
ସମୟ ତୁମକୁ ଦିଏ ଡାକ
ବଞ୍ଚାଅ ଆଜି ଜନନୀ ସମ୍ମାନ
ସଜାଡ ନିଜର ଭେକ_ ଭାକ।6।
ଆଉ ଲୋକହସା ହୁଅନାରେ ଭାଇ, ବୀର ମାଟି ତୁମ ତନେ ଲିପା,
ବିଜୟର ଭେରୀ ବାଜିଉଠୁ ପୁଣି,ପୂରୁବ ଗୌରବ ମୁଣ୍ଡେ ଟିକା।7।
କରନ୍ତୁ ଗରବ ଆମ ପୂର୍ବସୂରୀ
କର୍ମର ଆମ ଜୟ ହେଉ
ନୋଇଁବାନି ତାଙ୍କ ମଥା ତଳେ କେବେ,
ବୀରପ୍ରସବିନୀ ମାତୃଭୂମିର ଜୟ ହେଉ ।8।
ପାଠପଢା ପିଲେ ବହିରେ ଶିଖିଲେ,
ଇଂରାଜୀ ଭାଷାର ଗୁଣଗାନ,
ଆମ ଭାଷାଟି ଯେ ହଜିଯାଉଥାଇଁ,
ସେ ଦିଗକୁ ତୁମେ ଦିଅ ମନ।9।
ସମୃଦ୍ଧ ସାହିତ୍ୟ ଭାଷା କୋଷ ଆମ,
ଶିକ୍ଷା ସିଡିରୁ ଯାଏ ଖସି,
ସରଗେ ଆମର ପୂରୁବ କବିଏ
ବିଚାର କରନ୍ତି ବସି ବସି।10।
ପଞ୍ଚସଖା ଦେଶେ ପଟୁମାଟି ଆମ
ଫାଟ ଦିଶେ କାଇଁ ସହଜରେ
ବୁଦ୍ଧିଜୀବି ମାନେ ସାହିତ୍ୟ ଜୀବନେ ଉତ୍ତର ରଖିବେ
ଅମଳେ କି ଫଳ କଟା ହୁଏ?? ।11।
ଜଣେ କିବା ଫାଳେ ସାହିତ୍ୟ ପୂଜାରୀ,
ଠିଆ ମାଇଲ୍ ଖୁଣ୍ଟା ଦମ୍ଭ ନେଇ,
ଟାଣି ଚାଲିଛନ୍ତି ଫମ୍ପା ଜାତି ରଥ,
ଚକା ଡାକ ଦିଏ କଇଁ କଇଁ ।12।
ଓଡିଆର ପୁଅ ଓଡିଆ ଭାଷାରେ,
କଥା କହୁଅଛି ଖଣ୍ଡି ଖଣ୍ଡି,
ଓଡିଶା ପ୍ରଦେଶ ସୀମା ସରହଦ,
ଦିନୁ ଦିନ ଯାଏ ଛିଣ୍ଡି ଛିଣ୍ଡି ।13।
କାହିଁ ଗଲ ଆହେ ଉତ୍କଳ ଗୌରବ,
"ଭାଷା " ବଞ୍ଚାଇବ କିଏ ?,
ବିଦେଶୀ ଢାଞ୍ଚାରେ ବିଦେଶୀ ଓଡିଆ,
ମାଟିକୁ ତା ବିକି ଖାଏ ।14।
ପୋସ୍କୋ କମ୍ପାନୀ କଳା ଘୋଟି ଲୁଟେ,
ବେଦାନ୍ତର ବେଦ ଘନ ଘନ,
ଜଙ୍ଗଲ ଖଣିଜ ସମ୍ପଦରେ ପରିପୂର୍ଣ୍ଣ,
ଭାସିଯାଏ ଓଡିଆର ଫମ୍ପା ସପନ ।15।
ଆମଠାରୁ ଆମ ଖଣିଖାଦାନ
ଜମି ଓ ଜୀବନ ଖୋଳ କରି
ପିନ୍ଧାଇଲେ ଆସି ନେଳିଆ ଚଷମା
ଢମଣାକୁ ଢୋଲେ ଭରି କରି ।16।
ଚାଷିଆ ବାପୁଡା କି ଅବା ବୁଝଇ
ବଣିଜ ବେପାର କଥାଭାଷା
ଘର ଡିହ ଜମି ସବୁ ଯାଏ ତାର
ହଳ ଲଙ୍ଗଳରେ ଧରି ଆଶା ।17।
ଇଂରେଜ ଯେ ଗଲେ ଦେଶୁ ତଡା ଖାଇ,
ବୁଦ୍ଧି ଯେ ତାଙ୍କର ଗଲେ ଛାଡି,
ଭାଇ ଭାଇ ଆମ ମୁଠେ କାଗଜକୁ ,
ଦାଣ୍ଡରେ ହୁଅନ୍ତି ଗଡା ଗଡି।18।
ଆକାଶେ ଉଡିଲେ ,ଜହ୍ନରେ ଚଢିଲେ ,
କେତେ ପାଠ ସାଠ ଗଲେ ପଢି,
ଦେଶ ଜାତି ବ୍ୟଥା ବୁଝି ନପାରିଲେ,
କି ଲାଭ ଆଉ ସେ ଘୋଡା ଚଢି।19।
ଆନ୍ଦୋଳନ, ଅନଶନରେ ମାତିଲେ,
ଦିନରାତି ଭାଙ୍ଗେ ରାଜଧାନୀ,
ଖବର ଟବର ପୃଷ୍ଠା ଖାଲି ଭରେ,
ସମ୍ବାଦ ଟିଭିରେ ହାହାକାର ଶୁଭେ,
ନେତା ମନ୍ତ୍ରୀ ଆମ ଚଉକି ଟାକୁଆ,
କିଏ ମନ ଦେବ ସମାଧାନେ ।20।
ଅଖ ଚକ ବନ୍ଦ ଡାକରା ଦେଇଣ ,
କୂଟନିତୀ ଖେଳ ଚାଲିଥାଏ,
ଅଟା ଠୁ ଚାଉଳ ସବୁ ଦରବରେ,
ଦର ଆକାଶକୁ ଛୁଇଁ ଯାଏ।21।
ସରକାରୀ କଳେ ଜଅଁଙ୍କ ଲାଗୁଛି,
ଗଡୁ ନାହିଁ ଯମା ଯୁଗେ ଯୁଗେ,
କଳା ପଇସାର ସୁଆଦ ଚାଖିକି,
ବିଲୁଆ କରନ୍ତି ଭୋଗ ଭାଗ।22।
ଓଡିଆର ପୁଅ ଭିଟାମାଟି ଛାଡି,
ଗୋତି ଶ୍ରମିକର ରୂପ ନିଏ,
ପଖାଳ କଂସାର ଜାଗା ମାଡିବସି,
ଚାଉମିନ୍ ରୋଲ୍ ନିଶ ମୋଡି ନିଏ।23।
ବାପା ବୋଉ ଡାକ ପୁରୁଣା କାଳିଆ,
ମୁଣ୍ଡିଆ ମାରିଲେ ମାରେ ଲାଜ,
ଅଧା ଖଣ୍ଡି ଲୁଗା ଫେସନ ଚାଲିଛି,
ହଜିଛି ଓଡିଆଣି ବେଶ,
ପୁନେଇଁ ପରବ ରଜବାଜ ।24।
ସଶକ୍ତୀ କରଣ କରୁଛୁ ବୋଲିଣ,
ସ୍ୱାଧୀନେ ବୁଲିଲେ ଘର ଝିଅ,
ଅସୂର୍ଯ୍ୟଂପଶ୍ୟା ଶରୀରେ ତାଙ୍କର,
ମଦିରା ବାସିଲା ମହ ମହ।25।
ଶିଶୁର ଶୈଶବ ବୁଡିମରିଯାଏ,
ତାଠାରୁ ଓଜନ ବସ୍ତାନୀରେ,
ପାସ୍ ଫେଲ୍ ଉଠିଯାଏ ଯେଣୁ,
ମନଟା ନଥାଏ ଇସ୍କୁଲୁରେ।26।
ଶିକ୍ଷକ ଆମର ବେତନ ନ ପାଇ,
ଉଲୁ ବୁଣାରେ ଦେଲେ ମନ,
ମଧ୍ୟାହ୍ନ ଭୋଜନ ଆୟୋଜନ,
ପତରରେ ବଢା ଏଣୁ ଜୀବନ ।27।
ମହାବିଦ୍ୟାଳୟେ ମହା ମହା ଗୁରୁ,
ମହାନ୍ ଯେ ଶିଷ୍ୟ ଗଢାହୁଏ,
ମୋବାଇଲ, ଗାଡି, ଗାଲଫ୍ରେଣ୍ଡ ବିନା,
କଲେଜରେ କି ଅବା ମଜା ଥାଏ??।28।
ବାପା ମାଆ ଋଣ ଗଣ୍ଠି କରି ମଲେ,
ଗୁଣବନ୍ତ ମାନ ଗଢିବାକୁ ,
ଯନ୍ତ୍ରୀ,ଡାକ୍ତର ଗଢିବା ସପନେ କାଟନ୍ତି ପେଟରୁ,
ପିଲାଙ୍କର ହାତ ମଥାକୁ ପାଇଲେ
ଉଡିଚାଲିଯାନ୍ତି କୋଠରୁ।29।
କାହିଁକି ହଜିଲା ସରଧା ସବୁରି,
ବୃଦ୍ଧାଶ୍ରମେ କାଇଁ ପିତା ମାତା,
ମୁଣ୍ଡ କାଇଁ ଆଉ ନୋଉଁନି ମଣିଷ,
ସେଇତ ଆମର ସର୍ବ ଦାତା ।30।
ଆଖି ଥାଇ ଅନ୍ଧ କେତେ ଦିନ ହେବା,
ଆତ୍ମାର ଡାକ ଥରେ ଶୁଣ,
ଓଡିଆର ପୁଅ କାଳିଆ ଠାକୁର,
ଓଡିଆ ଭରସା ଅଟେ ଜାଣ।। 31।
କି ଯେ ହେବ ଆମ ଦେଶ ଜାତି କଥା,
କି ହେବ ମଣିଷ ଅବସ୍ଥା,
ମୂଳଭିତ୍ତି ଯଦି ଦୋହଲି ଭାଙ୍ଗିବ,
କି ହେବ ଓଡିଆ ବ୍ୟବସ୍ଥା ।32।
ଆଧୁନିକ ହେବା ନିଶାଟି ଜଭର,
ସବୁରି ଭିତରେ ଘାରିଛି,
ଦେଶ ଜାତି ବୁଡୁ ଚୁଲିମୁଣ୍ଡେ ଯାଇ,
ସେଥିରୁ କି ଲାଭ ମିଳୁଛି?।33।
ଉଠ କଙ୍କାଳ, ଛିଡୁ ଶୃଙ୍ଗଳ,
ଜାଗୁ ଉତ୍କଳ ଆଜି,
ମନେ ପଡୁନି କି ବୀର କଳିଙ୍ଗର
ପୂରୁବ ଗୌରବ ରାଜି??? ।34।