ରାଜ୍ୟ ଅନ୍ତରର
ରାଜ୍ୟ ଅନ୍ତରର
ରହିଛି ଆତ୍ମାଟି ସବୁରି ଅନ୍ତରେ
ତା' ପରି ଅଛି କେ ସୁଖୀ?
ଆବରଣରେ ସେ ନୁହେଁ ଆଚ୍ଛାଦିତ
ତଥାପି ନ ପାରୁ ଦେଖି।
ରାଜ୍ୟ ଟି ତାହାର ଭାବନା ଉର୍ଦ୍ଧ୍ବରେ
କେବେ ନୁହେଁ ବିଚଳିତ
କୋଳାହଳ ଶୁଣି ମନ ଓ ପ୍ରାଣର
ନ ହୁଏ ସେ ଆତଙ୍କିତ।
ହୃଦୟର ଭାବାବେଗ,ଦୁର୍ବଳତା
ନଚାଏ ମନ,ପ୍ରାଣକୁ
ଯେତେ ଚେଷ୍ଟା କଲେ ନ ପାରେ ହଲାଇ
ଆତ୍ମାର ରାଇଜଟିକୁ ।
ଜୀବନର ଯେତେ ଘାତ,ପ୍ରତିଘାତ
ବାଧା, ଦୁଃଖ,ଅପମାନ
ଛୁଇଁ ତ ନ ପାରେ ତାକୁ ସ୍ପର୍ଶ, ଗନ୍ଧ,
ସ୍ଵାଦ, ଶ୍ରବଣ,ଦର୍ଶନ।
ବାହ୍ୟ ଜଗତର ଦେଖି ପ୍ରତିଛବି
ଆବେଗ ହୃଦୟେ ବହି
ମଣିଷର ମନ ନ ହୁଏ ସନ୍ତୁଷ୍ଟ
ଆତ୍ମିକ ଶିକ୍ଷା ନ ପାଇ।
ଅନୁଭୂତିରେ ସେ ନ ଥାଏ ସହଜେ
ସବୁରି ଭିତରେ ଥାଇ
ଜାଣି ବି ଅଜଣା ଦେଖି ବି ଅଦେଖା
ନ ପାରୁ ତାହାକୁ ଛୁଇଁ।
ଆତ୍ମା ନିରେଖଇ ମହା ଆନନ୍ଦରେ
ଆମର ଗତିଧାରାକୁ
ରଖିଛି ସାଥିରେ ଶାନ୍ତି, ଜ୍ୟୋତି ଶକ୍ତି
ପୁଲକ, ପରାକ୍ରମକୁ ।
ଅଛି ପ୍ରତୀକ୍ଷାରେ ଅତୀନ୍ଦ୍ରିୟ ସୁଖ
କେବେ କରିବୁ କାମନା
ଭୁଲି ଅହଙ୍କାର,ରାଗ, ଈର୍ଷା, ହିଂସା
ପାଇବୁ ଦିବ୍ୟ ଚେତନା।
ସୁଖ, ଶାନ୍ତି, ଜ୍ୟୋତି ପରାକ୍ରମ ସହ
ପୁଲକିତ ହେବ ପ୍ରାଣୀ
ରୂପାନ୍ତର କାର୍ଯ୍ୟେ ହେବା ପାଇଁ ବ୍ରତୀ
ହୋଇବୁ ସତ୍ୟସନ୍ଧାନୀ ।
