ରାଜନନ୍ଦିନୀ
ରାଜନନ୍ଦିନୀ
ରାଜଉଆସର ରାଜନନ୍ଦିନୀ ଗୋ
ଅପରୂପ ଠାଣି ତୋର
ଅମାବାସ୍ୟା ଘରେ ଆଲୋକ ବର୍ତ୍ତିକା
ଜଳୁଥିବୁ ନିରନ୍ତର।
ଚନ୍ଦ୍ର ଉଦିଆର ଶୀତଳ ଚନ୍ଦନ
ଲେପି ତୋର ଦେହ ମନେ
ବଢିଚାଲୁ ତୁହି ଦ୍ବିତୀୟା ଚନ୍ଦ୍ରଗୋ
ଖିଲିଖିଲି ହସ ଯେହ୍ନେ।
ଚନ୍ଦ୍ରକଳା ପରି ରୂପର ଉପମା
ଦେହେ ତୋର ଢଳ ଢଳ
ବାଲ୍ୟ ଚପଳତା ଉଭେଇ ଯାଇଛି
କୈଶୋର ତ ମଖମଲ।
ଯଉବନ ଲାଗେ ଦେହରେ ତୋହର
ସୈ|ନ୍ଦର୍ଯ୍ଯର ଗନ୍ତାଘର
ଢଳ ଢଳ ନୀର ପଙ୍କଜ ଯେସନ
ପ୍ରେୟସୀ ସେ ଦିବାକର।
ଆଖିରେ ତୋହର ଚୋରା ଚାହାଣି ତ
ଟଣାଟଣା ଭୃଲତାରେ
କଥା କୁହା ଆଖି କହୁଛି ଅନେକ
ଶୁଣେ ଖାଲି ନୀରବରେ।
ଅଧରୁ ତୋହର ଝରିପଡେ ହସ
ମଧୁଲିତା ମାଧୂରିମା
ପଦ୍ମ ପାଖୁଡ଼ାରେ ରୂପକଳ୍ପ ନେଇ
ହସୁଛିତ ସବୁଜିମା।
ଖଣ୍ଡାଧାର ସମ ତୀକ୍ଷ୍ଣ ନାସିକାରେ
ପିନ୍ଧିଛୁ ବାଣୀ ପରା
ଚିବୁକରୁ ପରା ଝରିପଡୁ ଅଛି
ରକ୍ତିମ ଆଭା ସେ ତୋରା।
କଟି ଯାଏ ତୋର ଲମ୍ବି ଯାଇଅଛି
କଳାଘୂମର ତ ବେଣୀ
ଚୂର୍ଣ୍ଣ କୁନ୍ତଳ ତ କଳା ମେଘ ସମ
ମନକୁ ନେଉଛି କିଣି।
ଅଙ୍ଗେଅଙ୍ଗେ ତୋର ଭରା ଯଉବନ
ଚିକଣ ପଡୁଛି ଖସି
ଦେଖିଦେଲେ ଥରେ ଲାଗିଯାଏ ଆଖି
ସତେକି ପୂର୍ଣ୍ଣିମା ଶଶୀ।
ପାଦରେ ପାହୁଡ ବାଜେଣୀ ନୂପୁର
ଚାଲୁଥାଏ ଢଳିଢଳି
ବକ୍ଷୋଜ ତୋହର ଉଚ୍ଚ ପରବତ
ଆଖିକୁ ଦେଉଛି ଜାଳି।
ସରୁ ଅଳତାରେ ପାଦକୁ ସଜେଇ
ଦେଖେଇ ହେଉଛୁ କେତେ
ମଖମଲି ତୋର ଗୋରା ଦେହେ ପରା
ନାଲି ପାଟଶାଢ଼ୀ ସତେ।