ପୟସ୍ୱିନୀ ଅଞ୍ଜନା
ପୟସ୍ୱିନୀ ଅଞ୍ଜନା
ରାବଣକୁ ହତ କରି ରଘୁନାଥ
ବିଭୀଷଣେ ଲଙ୍କା ଦେଲେ,
ପ୍ରବୋଧିଲେ ଆଣି ମନ୍ଦୋଦରୀ ରାଣୀ
ଅଭିଷେକ କଲା ବେଳେ ।
ମିତ୍ରଗଣେ ଧରି ସିନ୍ଧୁ ହେଲେ ପାରି
ପୁଷ୍ପକ ବିମାନେ ଆସି,
ବୀର ହନୁମାନ କରନ୍ତି ରୋଦନ
କିସ୍କିନ୍ଧ୍ୟା ଭପରେ ଭାସି ।
ଏତେ ଦିନ ପରେ ଚିତ୍ତେ ଭାବ ଭରେ
ବାତ୍ସଲ୍ୟ ମମତା ଜାଗେ
ଆଞ୍ଜନେୟ ଦୁଃଖ ଜାଣି ପଦ୍ମମୁଖ
ଜିଜ୍ଞାସିଲେ ବାୟୁ ମାର୍ଗେ ।
ମନେ ରଖି ଆଶ କଲେ ଅଭିଳାଷ
ଅଞ୍ଜନାଙ୍କ ଦରଶନ
ବାନର ମାନସ ହରଷେ ଉଲ୍ଲାସ
ପ୍ରଭୁ ହେଲେ ପରସନ ।
ପ୍ରତିଆଗମନ ସୁମରି ସୁମନ
ତୋରଣ ସଜାଉ ଭରି
ପୁତ୍ର ମୋହେ ଝୁରି ଉରଜରେ ପୂରି
ଦୁଗ୍ଧଧାର ଆସେ ଝରି ।
ଯାନୁ ଅବତରି ଭୂମାତା ସୁମରି
ପ୍ରଣାମ କରିବା ବେଳେ,
ସଂଖୋଳି ସୀତାଙ୍କୁ ରାମ ଲକ୍ଷ୍ମଣଙ୍କୁ
ଅଞ୍ଜନା ପାଛୋଟି ନେଲେ ।
ପଚାରିଲେ ମାତା କୁଶଳ ବାରତା
ଲଙ୍କା ଯୁଦ୍ଧେ କଷ୍ଟ ଯାହା,
ଅଶୋକର ବନେ ଝିଙ୍ଗାସି ଯତନେ
ତ୍ରିଜଟା କି ହେଲା ସାହା ।
ଏତେ ଯା' ବିପତ୍ତି କବଳୁ ସମ୍ପ୍ରତି
ସୁରକ୍ଷିତ ଦେଖି ସୁଖେ,
ନେତ୍ରରୁ ଯେତେକ ବହଇ ଲୋତକ
ପ୍ରତୀତ କମଳମୁଖେ ।
ହନୁମନ୍ତ ବଳେ ବଖାଣି ସରଳେ
ବୁଝାଇ କହନ୍ତି ମାତେ,
କିପରି ବହନ ଲଙ୍କାର ଦହନ
କରିଲେ ଆପଣା ହାତେ ।
ସେତୁ ହୋଇ ପାର ଯୁଦ୍ଧର ହୁଙ୍କାର
ଦେଲେ ଯାହା ରଘୁନାଥ,
ଯେତେକ ଆୟୁଧ ଇନ୍ଦ୍ରଜିତ ବଧ
ଲକ୍ଷ୍ମଣଙ୍କ ଶର ଘାତ।
ଯୁଦ୍ଧେ କୁମ୍ଭକର୍ଣ୍ଣ ସାଥେ ଦୈତ୍ୟରାଣ
ସାଧିଲା ରାମଙ୍କୁ ଦାଉ,
ବିଭୀଷଣ ଭାଇ ଭେଦ ନ ବତାଇ
ରାବଣେ କି ଜିତି ଯାଉ ?
ଗନ୍ଧ ମାରଦନ ପର୍ବତ ବହନ
ସୀତାଙ୍କ ଯାତନା ଗାଥା,
ଶୁଣି କୋପ ଅତି ହନୁମନ୍ତ ପ୍ରତି
ଉଠିଲେ ଅଞ୍ଜନା ମାତା ।
ପର୍ବତ ସମ୍ମୁଖେ ବସ୍ତ୍ର ଖୋଲି ବକ୍ଷେ
ସ୍ତନ ଚିପି କ୍ଷୀର ଧାରେ,
କରିଲେ ଦି ଫାଳ ପ୍ରତ୍ୟକ୍ଷେ ଶଇଳ
ଚକିତ କରାଇ ବାରେ ।
ଧିକ୍କାରି ହନୁକୁ ଆବୋରି ତନୁକୁ
କହିଲେ ଶ୍ରୀମୁଖ ଚାହିଁ,
ବୃଦ୍ଧା କାଳେ ଏହି ତେଜ ଅଛି ବହି
ଯଉବନେ କେତେ ନାହିଁ !
ଯୁବତୀ ବୟସେ ମୋର ସ୍ତନରସେ
ଦେଇଛି ବଳ ଅମାପ,
ଭୁଲିଲା କେମନ୍ତ ବଜ୍ର ହନୁମନ୍ତ
ନିଜର ବଳ ପ୍ରତାପ !
ସମୁଦ୍ରରୁ ତାଡି ଲଙ୍କାକୁ ଉପାଡି
ଥୁଅନ୍ତା ପ୍ରଭୁଙ୍କ ପାଦେ,
ଧିକ ମୋର ସ୍ତନ ଆରେ ହନୁମାନ
ଦେଲୁ ଦୁଃଖ ପରମାଦେ ।
ଅଞ୍ଜନା ବିଳାପ ଦେଖି ମନସ୍ତାପ
କରନ୍ତେ କୋଦଣ୍ଡଧାରୀ,
କରିଲେ ବଖାଣ ନିୟତି ବିଧାନ
ଅସୁର ଯେହ୍ନେ ସଂହାରି ।
ପୁତ୍ରର ନିର୍ଦୋଷ ପଣେ ମାତା ତୋଷ
ଆଲିଙ୍ଗନେ ବକ୍ଷେ ଧରି,
କରନ୍ତେ ଆଦର ଲଲାଟେ ହନୁର
ଚୁମ୍ବନ ଦିଅନ୍ତି ଭରି ।
ପ୍ରସନ୍ନ କୁମାର ମାଦଳା