ପୂଜା ଲାଗୁନି ମଜା
ପୂଜା ଲାଗୁନି ମଜା
ସବୁ ବରଷ ପୂଜା ଆସିଲେ
ମନଟା ଲାଗେ ତାଜା,
ଏ ସନ କିନ୍ତୁ ପୂଜା ଆସିଛି
ପୂଜାରେ ନାହିଁ ମଜା |
ଆସିଛି ଏବେ ଦଶରା ହେଲେ
ଆଣିନି କିଛିଖୁସି,
ପୂଜାମଣ୍ଡପେ କଟକଣାରେ
ହୋଇବ ପୂଜା ନୀତି |
ଗହଳି ନାହିଁ ଚହଳି ନାହିଁ
ନିଶୁନ୍ ଚାରିଆଡ,
ଭଳିକି ଭଳି ରଙ୍ଗଜରିରେ
ସଜା ହେଉନି ମେଢ଼ |
ତୋରଣ ନାହିଁ, ଆଲୋକ ନାହିଁ
ନାହିଁ ଗାଡିର ଭିଡ,
ରାମଦୋଳିରେ ବସିବା ପାଇଁ
ନାହିଁ ପଲାଙ୍କ ଗୋଳ |
ପେଁକାଳିର ଶବଦେ ଏବେ
କମ୍ପୁନି ଚାରିଆଡ,
ମଣ୍ଡପ ପାଖେ ନାହିଁ କଣ୍ଢେଇ
ବେଲୁନ୍ ବାଲା ଭିଡ |
ରାସ୍ତାକଡରେ ନେଉନି କେହି
ଗୁପଚୁପର ମଜା,
ଦହିବରାଠି ଜମୁନି ଭିଡ
ହେଲେ ସେ ଯେତେ ତାଜା |
ଲୁଗାଦୋକାନେ ଗହଳି ନାହିଁ
ଲାଗୁଛି ଖାଲିଖାଲି,
ସବୁଠି ଶୁଭେ ଗୋଟିଏ କଥା
ଆସିଛି ମହାମାରୀ |
ବେପାରୀଙ୍କର ବେପାର ମାନ୍ଦା
ଚାଲୁନି କାରବାର,
ଜୀବିକା ଆଜି ବନ୍ଧା ପଡିଛି
ଖାଲି କରୋନା ଡର |
ଛୋଟପିଲାଙ୍କୁ ମନା ଏସନ
ବଜାର ଯିବା ପାଇଁ,
ବୟସ୍କଲୋକେ ଘରୁ ବାହାରି
ବଜାର ଯିବେ ନାହିଁ |
ସବୁଠି ଏବେ ଶୁଭୁଛିଖାଲି
କୋଭିଡ୍ କଟକଣା,
କୋଭିଡ୍ ଏବେ ସବୁ ଲୋକଙ୍କୁ
କରିଛି ବାଟବଣା |
ପୋଲିସ୍ ଛକେ ତାଗିଦ୍ କରେ
ନଥିଲେ ମୁହେଁ ମାସ୍କ,
ଏହି ସ୍ଥିତିରେ ପୂଜା ଲାଗୁଛି
ସତେକି ଗୋଟେ ଫାର୍ସ |
ମଣ୍ଡପ ପାଖେ ଜମୁନି ଭିଡ
ପୋଲିସ୍ ଅଛି ଜଗି,
ଟିକିଏ ଯଦି ହୋଇବ ଭୁଲ
ଫାଇନ୍ ଯିବ ଲାଗି |
ବନ୍ଧୁବାନ୍ଧବ ଆସନ୍ତି ନାହିଁ
କାହାରି ଘରେ କେହି,
ବନ୍ଦୀ ଜୀବନ କାଟୁଛେ ଆମେ
ସଭିଁଏ ଘରେ ରହି |
ଅସମୟରେ ଝରିଯାଉଛି
ଜୀବନ ଆଜି କେତେ,
କେତେ ଯେ ପିଲା ଅନାଥ ହେଲେ
ହିସାବ ନାହିଁ ସତେ |
ମଣିଷ ଆଜି ଭୟ କରୁଛି
ମଣିଷ ଦେଖିଦେଲେ,
କେତେଦିନ ମାଆ ରହିବୁ ଆମେ
ଏମିତି ଏକା ଘରେ |
ଏମିତିବେଳେ ଆସୁଛ ଯଦି
ଟିକିଏ କର ଦୟା,
ବନ୍ଦୀଜୀବନୁ ମୁକତି ଦିଅ
ଡାକୁଛୁ ମହାମାୟା |
ଶୁଣିଛୁ ମାଆ ବିପଦବେଳେ
ଆସ ତ ଅବତରି,
ସେହି ସମୟ ଆସିଛି ଏବେ
କରନା ଆଉ ଡେରି |
