ପୂଜା ଛୁଟି: ଏକ ନିର୍ଜନ କୋଳାହଳ
ପୂଜା ଛୁଟି: ଏକ ନିର୍ଜନ କୋଳାହଳ
ଏମିତି ଛୁଟିରେ ଏକ୍ଲାପଣ ସହ
ଯୁଝିବାକୁ ହୁଏ
ପୁରୁଣା ସ୍ମୃତି ସବୁକୁ ଝୁଣ୍ଟିବାକୁ ହୁଏ ।
ତୁମେ ନଥିଲା ବେଳେ
ସେମାନେ ଦାଣ୍ଡଦୁଆର କବାଟକୁ
ଠକ୍ ଠକ୍ କରନ୍ତି
ମୁଁ ଚାହିଁବା ନ ଚାହିଁବା
ପଚାରୁଛି କିଏ ।
ଆଗପରି ସନ୍ତର୍ପଣ ନୁହଁ
ଯେମିତି ମେଘକୁ ଖୁବ୍ ପଛରେ ପକାଇ
ଧାଇଁ ଆସିଥିବା ଜହ୍ନ
ଘାଇ ଭଙ୍ଗା ମୁକୁଳା ନଈ ।
ମୁଁ ତ ନିଜକୁ ପାରେ ନାହିଁ ରୋକି
ଖୋଲିଯାଏ ଦାଣ୍ଡଦୁଆର
କେବେଠୁ ଧୂଳି ଧୂସରିତ ହୋଇ
ବନ୍ଦ ପଡିଥିବା
ହୃଦୟର ନିଭୃତ ଅଳିନ୍ଦ ।
ସେମାନେ ବସି ଯାଆନ୍ତି ମୋ ଖଟ ସାରା
ଯେମିତି ମୁଁ ବିକ୍ରମାଦିତ୍ୟ
ଆଉ ଏମାନେ
ଏତେ ଦିନ ଅଜଣାରେ
ପିଠେଇ ହୋଇ ଆସୁଥିବା
ଅଦୃଶ୍ୟ ବେତାଳ ।
କିଛି ମନଲୋଭା ଉପହାର
କିଛି ହୃଦଥରା ଇତିହାସ
ଚମକୁ ଥାଏ ସଭିଙ୍କ ହାତରେ
ମୁଁ ଦେଖି ନ ପାରିବାର ଅଭିନୟ
ଧରା ପଡିଯାଉଥାଏ
ଟାଣି ହୋଇ ଯାଉଥାଏ ମୁଁ କ୍ରମଶଃ
ସେମାନଙ୍କ ସଂରଚିତ ବ୍ୟୁହ ଭିତରକୁ ।
କିଏ ଶୁଣାଉଥାଏ
ଗାଁ ମୁଣ୍ଡ ମନ୍ଦିର ବେଢ଼ାର
ବରଗଛ ତଳ ଲୁଚକାଳି ଖେଳ
କିଏ ପୋଛୁଥାଏ ଲୁହ
କଲେଜ ପଡ଼ିଆର ସବାଶେଷ
ମଣ୍ଡପରେ ବସି
କିଏ ଦେଖାଉଥାଏ
ପୁରୁଣା ରଫ୍ ଖାତାରୁ ଆଣି
ରକ୍ତ ଗୋଲାପର ଫସିଲ୍ ।
କିଏ ବା ପଢ଼ି ଶୁଣାଉଥାଏ
ସେ କାଳର ହାତ ଲେଖା ନୀଳ ଚିଠି ।
କଳାମନ୍ତ୍ରରେ ବଶୀଭୂତ
ମୋ ପେଣ୍ଡୁଲମୀୟ ସତ୍ତାକୁ
ତୁମେ ଆୟତ୍ତ କରି ପାର ବୋଲି ତ
ଏମିତି ଅସମୟରେ
ତୁମେ ଖୁବ୍ ମନେପଡ ।
ଲାଗ
ଆମ ଗାଁ ଫକୀର ବାବା
ଫୁଙ୍କା ଝଡା କରି
ମୋ ଅଣ୍ଟାରେ ବାନ୍ଧିଥିବା ଡେଉଁରିଆ
ଆହୁରି ବି ଲାଗ
ଛୋଟ ବେଳେ ମୋ ମାଆ
ବଡ କରି ମୋ କପାଳରେ ଆଙ୍କୁଥିବା
କଳା କଜ୍ଜଳର ଟିକା ।।