STORYMIRROR

Laxminarayan Sahoo

Others

4  

Laxminarayan Sahoo

Others

ପୂଜା ଛୁଟି: ଏକ ନିର୍ଜନ କୋଳାହଳ

ପୂଜା ଛୁଟି: ଏକ ନିର୍ଜନ କୋଳାହଳ

1 min
279

 ଏମିତି ଛୁଟିରେ ଏକ୍ଲାପଣ ସହ 

ଯୁଝିବାକୁ ହୁଏ

ପୁରୁଣା ସ୍ମୃତି ସବୁକୁ ଝୁଣ୍ଟିବାକୁ ହୁଏ ।


 ତୁମେ ନଥିଲା ବେଳେ

ସେମାନେ ଦାଣ୍ଡଦୁଆର କବାଟକୁ

ଠକ୍ ଠକ୍ କରନ୍ତି

ମୁଁ ଚାହିଁବା ନ ଚାହିଁବା

ପଚାରୁଛି କିଏ ।


 ଆଗପରି ସନ୍ତର୍ପଣ ନୁହଁ

ଯେମିତି ମେଘକୁ ଖୁବ୍ ପଛରେ ପକାଇ

ଧାଇଁ ଆସିଥିବା ଜହ୍ନ

ଘାଇ ଭଙ୍ଗା ମୁକୁଳା ନଈ ।


 ମୁଁ ତ ନିଜକୁ ପାରେ ନାହିଁ ରୋକି

ଖୋଲିଯାଏ ଦାଣ୍ଡଦୁଆର

କେବେଠୁ ଧୂଳି ଧୂସରିତ ହୋଇ

ବନ୍ଦ ପଡିଥିବା

ହୃଦୟର ନିଭୃତ ଅଳିନ୍ଦ ।


 ସେମାନେ ବସି ଯାଆନ୍ତି ମୋ ଖଟ ସାରା

ଯେମିତି ମୁଁ ବିକ୍ରମାଦିତ୍ୟ

ଆଉ ଏମାନେ

ଏତେ ଦିନ ଅଜଣାରେ

ପିଠେଇ ହୋଇ ଆସୁଥିବା

ଅଦୃଶ୍ୟ ବେତାଳ ।


 କିଛି ମନଲୋଭା ଉପହାର

କିଛି ହୃଦଥରା ଇତିହାସ

ଚମକୁ ଥାଏ ସଭିଙ୍କ ହାତରେ

ମୁଁ ଦେଖି ନ ପାରିବାର ଅଭିନୟ

ଧରା ପଡିଯାଉଥାଏ

ଟାଣି ହୋଇ ଯାଉଥାଏ ମୁଁ କ୍ରମଶଃ

ସେମାନଙ୍କ ସଂରଚିତ ବ୍ୟୁହ ଭିତରକୁ ।


 କିଏ ଶୁଣାଉଥାଏ

ଗାଁ ମୁଣ୍ଡ ମନ୍ଦିର ବେଢ଼ାର

ବରଗଛ ତଳ ଲୁଚକାଳି ଖେଳ

କିଏ ପୋଛୁଥାଏ ଲୁହ

କଲେଜ ପଡ଼ିଆର ସବାଶେଷ 

ମଣ୍ଡପରେ ବସି

କିଏ ଦେଖାଉଥାଏ

ପୁରୁଣା ରଫ୍ ଖାତାରୁ ଆଣି

ରକ୍ତ ଗୋଲାପର ଫସିଲ୍ ।

କିଏ ବା ପଢ଼ି ଶୁଣାଉଥାଏ

ସେ କାଳର ହାତ ଲେଖା ନୀଳ ଚିଠି ।


 କଳାମନ୍ତ୍ରରେ ବଶୀଭୂତ

ମୋ ପେଣ୍ଡୁଲମୀୟ ସତ୍ତାକୁ

ତୁମେ ଆୟତ୍ତ କରି ପାର ବୋଲି ତ

ଏମିତି ଅସମୟରେ

ତୁମେ ଖୁବ୍ ମନେପଡ ।


 ଲାଗ

ଆମ ଗାଁ ଫକୀର ବାବା

ଫୁଙ୍କା ଝଡା କରି

ମୋ ଅଣ୍ଟାରେ ବାନ୍ଧିଥିବା ଡେଉଁରିଆ

ଆହୁରି ବି ଲାଗ

ଛୋଟ ବେଳେ ମୋ ମାଆ

ବଡ କରି ମୋ କପାଳରେ ଆଙ୍କୁଥିବା

କଳା କଜ୍ଜଳର ଟିକା ।।

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍