ପଉଷ ମାସ
ପଉଷ ମାସ
କୃଷକ ବଧୂର ଅଧରେ ମଧୁର
ଖିଲିଖିଲି ହସ ଦେଖି,
ମାର୍ଗଶିର ପରେ ପଉଷ ଉପରେ
ଲେଖେ ଉମ୍ଭେଇରୁ ସେକି ।
ଝରିଲାଣି କାଶ ଫୁଟିଲାଣି ବାସ
ସୋରିଷ ସୁମନ ହେମ,
ସ୍ଫୁଟନେ କହ୍ଲାର ତୋଳି କି ମହ୍ଲାର
ମଧୁପ ପରଷେ ପ୍ରେମ ।
ଶିଶିର ସମୀରେ ବରଷେ ଜମିରେ
ରଜତ ମୋତି ଶୀକର,
ବିଭାବରୀ ପରେ ଦିନକର କରେ
ଝଲସେ ଶାଖୀ ନିକର ।
ହରଷ ବିସାରେ ସରସ ଶୀଷାରେ
କନକ ଉଲ୍ଲୋଳ ଖେଳି,
ଦେଖି ଶ୍ରମମୂଲ ପ୍ରୀତ ଚାଷୀକୁଳ
ଅମଳେ ହୁଅନ୍ତି ମେଳି ।
ଶୀତର ଲହରେ ପ୍ରତ୍ୟୁଷ ପ୍ରହରେ
କାଟିବାରେ ସଜବାଜ,
ଲକ୍ଷ୍ମୀ ଠାକୁରାଣୀ ତୋଷ ହେଲେ ଜାଣି
ସୁଖେ ଗଦଗଦ ଆଜ ।
ଖଳା ଲିପାପୋଛା କରି ଧାନ ଗୋଛା
ସହଳେ କରିବେ ଠୁଳ ,
କି ଅଛି ଭରସା ଅଦିନ ବରଷା
ଉଜାଡି ନଦେଉ ମୂଳ ।
ଗ୍ରାମ ଦାଣ୍ଡେ ରେଣୁ ମଧ୍ୟେ ଦିଶେ ଯେଣୁ
ଠାବେ ଠାବେ ଧାନକେଣ୍ଡା,
ବଦଳାଇ ତାହା ମିଳିଯାଏ ଯାହା
ଖାଆନ୍ତି ପିଲା ଓ ଭେଣ୍ଡା ।
ପଉଷ ମାସରେ ଖୁସିର ଆସରେ
ହସଇ ବାସ ଭବନ,
ବରଷକ ଅନ୍ନ ପାଇ ମାଆ ମନ
ହୁଅଇ ଭାବ ପ୍ରବଣ ।
ପ୍ରସନ୍ନ କୁମାର ମାଦଳା