ପଥର ରହିଛି ସାକ୍ଷୀ
ପଥର ରହିଛି ସାକ୍ଷୀ
ନିର୍ଲିପ୍ତ ରଜନୀ ଅମା ଅନ୍ଧକାର
ନିସ୍ତବ୍ଧ ନିଃଶବ୍ଦ
ମହାଶୂନ୍ୟ,ନୀରବତା ।
ରଜନୀ ନର୍ତ୍ତକୀ ନୀରବ ସାତ୍ତ୍ୟକୀ
ସ୍ଥାଣୁ ସ୍ଥିତପ୍ରଜ୍ଞ
ଘୁଙ୍ଗୁରରେ ଶିଥିଳତା ।।
ଆକାଶ ଅନ୍ଧାର ସାଗର ଗମ୍ଭୀର
ଗୁରୁ ଗର୍ଜନରେ
ଗର୍ଜି ଗର୍ଜି ଘୁମିଯାଏ ।
ଚନ୍ଦ୍ରସ୍ନାତ ଜ୍ୟୋତ୍ସ୍ନା ମହକାଇ ବାସ୍ନା
ଶୁଭ୍ରତା ଶେଯରେ
ରାତିକୁ ଶୁଆଇ ଦିଏ ।।
ନିର୍ବାକ ପ୍ରହର ନିର୍ଜନ ବେଳାରେ
ସେ ଏକ ତରୁଣ
କରୁଣ କାହାଣୀ ଗାଇ ।
ନିଃଶବ୍ଦ ଚିତ୍କାରେ ସତ୍ୟର ଉର୍ଦ୍ଧ୍ବରେ
ମଥା ପିଟି କୁହେ
ବୁକୁ କଥା ରହି ରହି ।।
ବୁକୁରେ ଅଛି ତା' ଦୁର୍ବାର ଦରଦ
ଲୁହ ଲହୁ ହୋଇ
ବିକ୍ଷିପ୍ତ ବାଲି ବେଳାରେ ।
ନୀରବ ନିର୍ଝର ଶୋଣିତର ସ୍ରୋତ
ଝରି ଗଡ଼ିଯାଇ
ମିଶିଯାଏ କ୍ଷତ ଧାରେ ।।
ସେଇ କ୍ଷତ ଧାର ଉଦ୍ଧାମ ପ୍ରଖର
ସ୍ନାୟୁ ସ୍ନାୟୁ ଦେଇ
ନିର୍ଯ୍ୟାତିତ ନିଷ୍ପେସିତ ।
ନିର୍ଦୋଷ ପ୍ରାଣର ନିଷ୍ପାପ କାହାଣୀ
ବର୍ବର ଦୋଷୀର
ପ୍ରହାରରୁ ଅଭିପ୍ରେତ ।।
ଯୁଗରେ ଯୁଗରେ ପୃଷ୍ଠାରେ ପୃଷ୍ଠାରେ
ଇତିହାସ କାନ୍ଦେ
ନାରୀ ନିର୍ଯ୍ୟାତନା ଦେଖି ।
ପୁରୁଷ କାନ୍ଦୁଛି ପ୍ରବାଦ ଗଣୁଛି
ନିର୍ଜନ ବେଳାରେ
ପଥର ରହିଛି ସାକ୍ଷୀ ।।
ଏ ଆଖି ଦେଖିଛି ଜନନୀ କାନ୍ଦିଛି
ଶାବକ ବିରହେ
ମୁକ୍ତ କେଶା, ରୁକ୍ଷ ହସ୍ତା ।
ଆଜି ଏ କି କଥା ନଇଁଯାଏ ମଥା
ମାତୃତ୍ୱ ନିଷ୍ଠୁର
ପିତୃତ୍ୱ ହିଁ ପରିତ୍ୟକ୍ତା ।।
ସଂକୀର୍ଣ୍ଣ ସ୍ୱାର୍ଥରେ ବର୍ବର ଭିତ୍ତିରେ
ପିତୃତ୍ୱ ପୃଷ୍ଠାରୁ
ସନ୍ତକକୁ କରି ଭିନ୍ନ ।
ସେ ବୈଦିକ ରୀତି ବୈବାହିକ ଭିତ୍ତି
ବୃଥାରେ ବୃଥାରେ
ମର୍ଯ୍ୟାଦାକୁ କରେ କ୍ଷୁର୍ଣ୍ଣ ।।
ପୁରୁଷ ପୁଙ୍ଗବ ଆଜି ବିକଳାଙ୍ଗ
ମନ୍ଥିତ ମାନସ
ଡାକେ ଆର୍ତ୍ତ ଚିତ୍କାରରେ ।
ନିର୍ଜନ ରାତ୍ରିର ବିଜନ ବେଳାରେ
ବିଲୁପ୍ତ ବନ୍ଧନ
ସନ୍ଧାନର ପ୍ରତୀକ୍ଷାରେ ।।
