ପ୍ରତ୍ୟାଖ୍ୟାନ
ପ୍ରତ୍ୟାଖ୍ୟାନ
ବହୁତ ହେଇଗଲା ବୁଝିବା
ଆଉ ବୁଝେଇବାର ଲୁଚକାଳି ଖେଳ
କିଛି ଠିକ ଭୁଲ ହିସାବ ନିକାଶର
ଇଏ ନୁହେଁ ବେଳ ,
ପଛକୁ ଚାହିଁବା
କିଛି ସଜାଡ଼ିବା
ଏମିତି ଯଦି ହେଇପାରୁଥାନ୍ତା
ତାହେଲେ ବୋଧେ
ଜୀବନଟା ଲାଗୁଥାନ୍ତା
ପ୍ରଗଳ୍ଭ, ଉଛ୍ୱଳ ।
ଅନୁତାପର ଏ ଦୁଇବୁନ୍ଦା ଅଶ୍ରୁ
ଲୁଚାଇ ପାରେକି
ମହଣ ମହଣ ବେଦନା ର ଛାଇ ?
ଲିଭାଇ ଦେଇ ପାରେ କି
ଜଳୁଥିବା ଭାବନାର ଜୀବନ୍ତ ଜୁଇ ?
ପୋଛି ଦେଇ ପାରେ କି
ଝରୁଥିବା ଅଶ୍ରୁର ଧାର କୁ
ଶୀତଳ ମଲମ ହେଇ ।
ପ୍ରତାରଣାର ଦେଖା ଅଦେଖା କ୍ଷତ ,
ବିଶ୍ୱାସ ରେ ବିଷ ,
ହସରେ ଜହର
ସେ ପୀଡ଼ା , ଜ୍ବଳନ, ଦହନ
ସେସବୁ ଏବେ ମୋର ଅନ୍ତରଙ୍ଗ ସଖୀ
ଦରଜ ସବୁ ଏବେ ପ୍ରିୟ ଲାଗିଲେଣି ,
ଏବେ ଆଉ ବେଳ କାହିଁ ବନ୍ଧୁ !!!
ଗଣିବାକୁ ଦୋଷ , ତ୍ରୁଟି
କରିବାକୁ ମିଶାଣ , ଫେଡାଣ
ମୁଁ ଏବେ ଉଡାଣର ସମୁଚ୍ଚ ଶିଖରେ ,
ତୁମର ସେ ଅନୁତାପକୁ ଫେରାଇ ଦେଉଛି
ମୋ ବିଶ୍ୱାସ ଓ ଭରସାର ପ୍ରତିବଦଳରେ ।
ଏବେଠାରୁ ତୁମକୁ ମୁଁ ନିର୍ବାସନ ଦେଲି
ମୋ ଭାବନା , ମୋ ବେଦନାରୁ
ମୁଁ ଏବେ ମୁକ୍ତ କରୁଛି ନିଜକୁ
ତୁମ ଅନୁତାପର ତାପରୁ ,
ପ୍ରତାରଣାର ବ୍ୟଥାରୁ
ମୋ ଆଗରେ ଲଙ୍ଘିବାକୁ ଅସୀମ ଆକାଶ
ଫେରିବାକୁ ଚାହେଁନାହିଁ
ତୁମ ଅହଙ୍କାର , ଅବିଶ୍ୱାସ ଅର୍ଗଳି ଭିତରକୁ ,
ଅନୁତାପ କୁ ଗ୍ରହଣ କରି
କ୍ଷମା ଦେବାର ମହାନତା ନାହିଁ ମୋ ପାଖରେ
ବିଳମ୍ବରେ ହେଉ ପଛେ
ହାତ ଛଡା କରି ପାରିବିନି
ଶାସ୍ତି ଦେବାର ସୁଯୋଗ
ତୁମକୁ , କେବଳ ତୁମକୁ ..............।