ପ୍ରତିଦାନ
ପ୍ରତିଦାନ
ବୃକ୍ଷ ପଚାରେନା ବିନା ପ୍ରତିଦାନେ
କାହିଁକି ନିଅ ମୋ ଫଳ।
ନଦୀ ପଚାରେନା ବିନା ପ୍ରତିଦାନେ
କାହିଁକି ପିଅ ମୋ ଜଳ।
କ୍ଷେତ ଚାହେଁ ନାହିଁ ଚଷା ଭାଇ ଠାରୁ
ଫସଲର ପ୍ରତିଦାନ।
କାଠ ବଦଳରେ ଗଛ ଚାହେଁ ନାହିଁ
କାଠୁରିଆ ଠାରୁ ଦାନ।
ଗୋମାତା ଚାହେଁନା କ୍ଷୀର ବଦଳରେ
ସମାଜରୁ କିଛି ମୂଲ।
ଗଛ ମାଗେ ନାହିଁ ମାଳି କୁ ପାଉଣା
ଦିଏ ବୋଲି ସିଏ ଫୁଲ।
ବରଷା ମାଗେନା ବାରିଧାରା ପାଇଁ
ମଣିଷ ପାଖରୁ ମୂଲ।
ବସନ୍ତ ମାଗେନା ମଳୟ ବଦଳେ
ପ୍ରତିଦାନ ସମତୁଲ।
ସଞ୍ଜ ଶେଫାଳୀ ର ମହକ ମାଗେନା
ତା ବାସନା ର ପାଉଣା।
ଶୀତ ସକାଳ ର ପହିଲି କିରଣ
ତା ନିଜ ମୂଲ ମାଗେନା।
ଚନ୍ଦ୍ରମା ଚାହେଁନା କୁମୁଦିନୀ ଠାରୁ
ନିଜ ଜୋଛନା ର ମୂଲ
ସୁରୁଜ ବୁଝେନା କେତେ ହୀରାନିଳା
ତା କିରଣ ସମତୁଲ l
କୋଇଲି ତା ମିଠା କୁହୁତାନ ପାଇଁ
କରେ ନାହିଁ କିଛି ଆଶା
ପାଉଣା ଆଶାରେ ପଥିକ କୁ କେବେ
ପଥ ଦିଏନା ନିରାଶା।
ସମସ୍ତଙ୍କ ଠାରେ ଗୋଟିଏ ଭାବନା
ସେମାନେ ତ ଅନ୍ୟ ପାଇଁ
ସୃଷ୍ଟି ରକ୍ଷା ପାଇଁ ତାଙ୍କ ଯୋଗଦାନ
ପ୍ରତିଦାନ ଲୋଡା ନାହିଁ।
ନିଜ ପାଇଁ ନଦୀ ବହେ ନାହିଁ କେବେ
ଗଛ ବଢେ ଅନ୍ୟ ପାଇଁ
ମଣିଷ ଭାବଇ କିମ୍ପା ନିଜ ପାଇଁ
ଅନ୍ୟ କଥା ଭୁଲି ଯାଇ!
ସ୍ରଷ୍ଟା ଙ୍କ ସୃଷ୍ଟିର ଶ୍ରେଷ୍ଠ ଉପହାର
ଅଟଇ ସିନା ମଣିଷ
ସବୁ କାମପାଇଁ ପ୍ରତିଦାନ ଖୋଜେ
ଭୁଲି ସ୍ରଷ୍ଟା ଙ୍କ ଉଦ୍ଦେଶ୍ୟ।
ଦେବା ନେବା ସିନା ବେପାରୀ କୁ ସାଜେ
ମଣିଷ ନୁହେଁ ବେପାରୀ।
ସ୍ନେହ ଓ ପ୍ରେମ ର ମୂରତି ଟି ସିଏ
ତା ସହିତ କିଏ ସରି
ସଫଳ ଜନମ ତାର ଏ ଧରାରେ
ଅନ୍ୟ ପାଇଁ ସୃଷ୍ଟି ଯିଏ।
ଦେବାର ଆନନ୍ଦ ନେବାରେ ନଥାଏ
ଏହା ଯେବେ ବୁଝେ ସିଏ।