ପରଶ ମଣି
ପରଶ ମଣି
ହେ ପ୍ରିୟ ମଣିଷ ସୃଷ୍ଟିର ପୀୟୂଷ
ଈଶ୍ୱର ସୃଷ୍ଟିର ଶ୍ରେଷ୍ଠ,
ଜ୍ଞାନ ଗରିମାରେ ରୂପ ସଂହତିରେ
ବରିଷ୍ଠ ତୁମେ,ବଳିଷ୍ଠ ।
ବଞ୍ଚିବାକୁ ତୁମ ଅଦମ୍ୟ ଆଗ୍ରହ
ମରିବା ମନ ହିଁ ନାହିଁ ,
ଜୀବନଟା ସାରା ସଂଗ୍ରାମୀ ସାଜିଛ
ବଞ୍ଚିବା ଆଶାୟୀ ହୋଇ ।
ବଞ୍ଚିବା ପାଇଁକି ମିଠା ମିଠା ସ୍ବପ୍ନ
କେତେକେତେ ମଧୁ ରାତି ,
କେତେ କଳ୍ପନାର କୁହେଳିକା ଦେଇ
ରାତି ରାତି ଯାଏ ବିତି ।
ବଞ୍ଚିବା ପାଇଁ ତ ଜନମ ଲଭିଛ
ଦୁର୍ଲଭ ତୁମରି ପ୍ରାଣ ,
ବିଶାଳ ବିଶ୍ୱର ବ୍ରହ୍ମାଣ୍ଡ ଭୂଗୋଳେ
ମଣିଷ ତୁମରି ନାମ ।
ବଞ୍ଚିବାକୁ ତୁମ ଅଧିକାର ଅଛି
ନୈତିକତା, ବୈଦିକତା ,
ନିଜେ ବଞ୍ଚୁ ବଞ୍ଚୁ ଅନ୍ୟକୁ ମାରିବ
ନୁହେଁକି ହେ ବର୍ବରତା ?
ବର୍ବର ଭିତ୍ତିରେ ଉର୍ବର ଆଲୋକ
କରିଦିଅ କଳଙ୍କିତ ,
ସେଇଥିପାଇଁ ତ ମଣିଷ ହୋଇ ବି
ମଣିଷ ଆଗେ ଲଜ୍ଜିତ !
ଲଜ୍ଜିତ ହୋଇ ବି ମର୍ଯ୍ୟାଦା ଭିତ୍ତିରେ
ଦେବତାଙ୍କ ଉପହାର ,
ଆଶାରେ ତୃଷ୍ଣାରେ ତୃଷ୍ଣାର୍ତ୍ତ ଅତୃପ୍ତ
ଭୁଲିଯାଅ ସଦାଚାର ।
ପଣ ସଂକୀର୍ଣ୍ଣତା ସ୍ୱାର୍ଥ ନିପୁଣତା
ବିବଶ ବିକ୍ଷିପ୍ତ ମନ ,
ବିପୁଳ ଧନର ଅଧିକାରୀ ହୋଇ
ପାଲଟିଯାଅ ନିର୍ଦ୍ଧନ ।
ହୀରା ନୀଳା ମୋତି ଅଭ୍ର ଅଟ୍ଟାଳିକା
ଭାବୁଛ କି ମହାଧନ,
ସବୁଠାରୁ ଶ୍ରେଷ୍ଠ ଅଲିଭା ବଳିଷ୍ଠ
ମହାଧନ ତୁମ ମନ !
ମନରେ ମନରେ ହୃଦ କଣିକାରେ
ପ୍ରେମ ପରମାଣୁ ବୁଣି ,
ପାଇବ ଧନ ଓ ମାନ ସନମାନ
ତାହା ହିଁ ପରଶ ମଣି !
