ପରଝିଅ
ପରଝିଅ
ଦୁହିତା ମୁଁ
ଦୁଇକୁଳେ ବାଣ୍ଟିହୋଇ
କାହାର ବା ହେଲି,
ଆଖିରେ ଆଖିଏ ଥିଲା ସ୍ବପ୍ନ
ବାପାର ଗେଲବସର
"ମା"ର ମୁଁ ଥିଲି ଗଣ୍ଠିଧନ
ପାଳୁଥିଲେ ଆଦରରେ
ଭାବୁଥିଲେ ମୁହିଁ ପରଧନ
ସତେ...... ଝିଅଟିର
ଜୀବନ ରହସ୍ୟ
କେତେଥାଏ ଭିନ୍ନ।
ଏକ ଦେଶେ ଏନ୍ତୁଡି ମୋ
ଆନ ଦେଶେ ଜୁଇ
ତା ମଝିରେ ଜଳୁଥିଲା
ବେଦୀ ନିଆଁ
ଦିକ୍ ଦିକ୍ ହୋଇ
ଏକ ବଂଶେ ଜାତ ସିନା
ଅନ୍ୟ ଗୋତ୍ରେ ଜଳଦାନ କଲି
କୁଳବଧୂ ନାମେ ନୂଆ
ଜନ୍ମ ମୁଁ ଲଭିଲି
ଜନ୍ମଦାତା,ଜନ୍ମଦାତ୍ରୀ ମୋର
ଆଦରରେ ପାଳୁଥିଲେ
ପରଘର ଧନ ବୋଲି
ଶୁଆପରି ମନ୍ତ୍ର ଦେଇଥିଲେ
ଘରର ସଂସ୍କାର
ଯେପରି ନ ଯାଉ ତୁ ଭୁଲି
ଶାଶୁଘରେ ରଖିବୁ ତୁ
ମର୍ଯ୍ୟାଦା ଆମରି।
× × × × × ×
ଜୀବନ ଯାତ୍ରାରେ
ଆସଜଡା ପ୍ରତିଟି ସମ୍ପର୍କ ମୋର
ସାଉଁଟି ମୁଁ ସାଇତି ରଖିଲି
ଆତ୍ମୀୟ, ଆତ୍ମଜ
ଆଉ ସଖା,ପରିଜନେ
ସ୍ବାର୍ଥ ତ୍ୟାଗୀ
ଆପଣେଇ ନେଲି
ଶ୍ରଦ୍ଧା ଓ ବିଶ୍ବାରର
ଇଟା ଖଣ୍ଡେ ଖଣ୍ଡେ ଯୋଡି
ମହଲ ତୋଳିଲି
ଅକୁଣ୍ଠିତ ହୃଦୟରେ
ଦାନ,ଧର୍ମ, ସେବା,କର୍ମେ
ସଭିଙ୍କର ମନକୁ ଜିଣିଲି
ତଥାପି
ଆଜି ବି ମୋ ପରିଚୟ
ପରଝିଅ ବୋଲି...
ସସ୍ମିତା ମହାପାତ୍ର(ଲୀନା)
ଭୁବନେଶ୍ବର
