ପ୍ରୀତିରରଙ୍ଗ
ପ୍ରୀତିରରଙ୍ଗ
ବୁଣିଦିଅ ପ୍ରୀତିର ମୂରୁଜ
ଆଦ୍ୟ ଶୀତୁଆ ସକାଳଟା
ଆହୁରି ହୋଇଯିବ ଗାଢା
ଯେତେ ବି ଭିଜିଲେ
ତୁମ ଗରମ ନିଃଶ୍ୱାସରେ
ସବୁକିଛି ଉଷୁମ ଉଷୁମ
ତଥାପି ବୋହୁଛି ତୁମ ଆଡୁ
ଚନ୍ଦନ ଚନ୍ଦନ ଚୋରା ଚଇତାଳି
ଭାସି ଭାସି ଆସୁଅଛି
ମଧୁରାଗିଣୀର ପଖଳା ମୂର୍ଚ୍ଛନା
ମାଟିର ଗନ୍ଧରେ ଆତ୍ମୀୟତା
ପବନରେ ମାଦକତା
ପାଦ ଦୁଇ ଛନ୍ଦି ହୁଏ
ମନ ଉଡେ ମୁକ୍ତ ଗଗନରେ
ଅଜାଡି ଦିଅ ଆହୁରି
ମେଞ୍ଚାଏ ପବନ ଆଶ୍ଲେଷର
ଉଡିବୁଲିବି
ତୁମ ହୃଦୟରେ ପ୍ରଜାପତି ହୋଇ
ଚୋରାଇ ନେବି ଇପସିତକୁ
ପେଟେ ପିଇନେବି ମଧୁ
ବୋଳିଦେବି ବାସ୍ନାରୁ ପୁଳେ
ସାରା ସର୍ବାଙ୍ଗରେ....
ଆଉ କ'ଣ କିଛି ଥାଏ
ତୁମେ ଆଉ ମୋ ଛଡା
ଏ ପୃଥିବୀ, ଏ ଦିଗବଳୟ
ଆଉ ଏ ଦୂର ପାହାଡ
ସବୁ ତ ମୋର
ଆଉ ମୁଁ ଏ ଅଖଣ୍ଡ ବିଶ୍ବର
ଏକମାତ୍ର ଅଧିଷ୍ଠାତ୍ରୀ
କାହିଁକି "ନା"ଏ ପ୍ରୀତିର ରଙ୍ଗରେ
ରଙ୍ଗାଇତ କରିଛି ମନକୁ ମୋର
