ପ୍ରୀତିଲଗ୍ନା
ପ୍ରୀତିଲଗ୍ନା
ଭଗ୍ନଶିଳା ମୁଁ ମଗ୍ନ ହୃଦୟେ ---
ତୁମ ପାଇଁ ଲେଖେ ଚିଠି ,
ଚିଠି ନୁହେଁ ଏ ମୋ ଅନ୍ତର ଆତ୍ମାର --
ବ୍ୟଥା ବିଧୁରିତ ଲିପି ।
ଅସ୍ତଗାମୀ ସୂର୍ଯ୍ୟ ଯେବେ --
ପଡୁଥିଲା ଡେଇଁ ସମୁଦ୍ରର କୋଳେ--
ମୋ କଜଳ ଆଖିରେ ଆଖିଏ ସପନ --
ଭରିଥିଲ ଯହିଁ ବହୁ ବର୍ଷ ତଳେ ।
ମନେ ପଡେ ସାଥି ---ମନେ ପଡେ ---
ସେ ଅଭୁଲା ପ୍ରୀତିକୁ ଝୁରିମରେ ---
କେତେ ଖରା ଖରକିଛି ଆମ ପିଠି--
କେତେ ବର୍ଷା ଭିଜେଇଛି ଛାତି ---
ମଞ୍ଜଥରା କୋହଲା ପବନ ଶୀତର--
କେବେ ଟୋପା ଟୋପା ହେମନ୍ତ କାକର-
ତୁମେ କିନ୍ତୁ ସ୍ଥିର ---
ତୁମ ନିହଣର ମୂନ କେବେ ହୋଇନି ନିଥର --
ଅବିଚଳତ ଆମେ ---
ଥିଲେ ନିର୍ବିକାର , ଥିଲେ ଏକାକାର ।
ନିରବେ ଖୋଜୁଛି ତୁମକୁ ଆଜି ମୁଁ ---
ନିଜ ଭିତରେ ଅନେକ ଥର --
ଅଭିମାନଭରା ଅଶ୍ରୁବୁନ୍ଦାଟିଏ ----
ଝରିପଡେ ହୋଇ ଆପଣାର ।
ହେ, ରସସ୍ରଷ୍ଟା !!
ପାଷାଣର ବୁକୁ ଚିରି--
ଲେଖିଥିଲ ଦିନେ ରତ୍ନ କବିତା ।
ସେ କବିତା ଝଙ୍କୃତ ଆଜି --
ଗାଏ ତୁମ ଅମର କୃତିର ଗାଥା ।
ଆଙ୍କିଦେଲ ଯା ଛାତିରେ ---
ଖୋଲି ତୁମ ଚିତ୍ରାଙ୍କନ ଖାତା ।
ହଜିଥିଲ ଯହିଁ ଭୁଲିଯାଇ ନିଜର ଅସ୍ମିତା ।
ମୁଁ ସେହି ପାଷାଣୀ କନ୍ୟା !!!
ଅନୁଭବୁ ଥିଲି ତୁମରି ଛୁଆଁରେ ---
ଚନ୍ଦନ ବନର ବାସ୍ନା ।
ତୁମ ସ୍ୱେଦସିକ୍ତ ଅନୁରାଗ, ଉନ୍ମୁକ୍ତ ଆଶ୍ଳେଷ---
ସଂଚାରିଲା ପ୍ରାଣେ ମୋର ଅପୂର୍ବ ଉଚ୍ଛ୍ୱାସ ,
ସ୍ନିଗ୍ଧ ଅନୁଭବରେ ଅମୃତ ପରଶ -----
ପାଷାଣର ଦେହେ ମୋର --
ଫୁଲ ହୋଇ ଭରିଦେଲା ସୁଗନ୍ଧିତ ସୁବାସ ।
ତୁମ ନିହଣର ମୂନ --
ବାନ୍ଧିଥିଲା ଯାହା ପାଦେ ନୂପୁର ନିକ୍ୱଣ --
ପିନ୍ଧିଥିଲା ହସ୍ତ ମୋର କୋଟିକମ କଙ୍କଣ --
ବାହୁରେ ବାଜୁବଳା --- କଟୀରେ ମେଖଳା ,
ଗଳାରେ ମୋ ଚନ୍ଦ୍ର ହାର ----
ଜୁଡା ମୋର ସାଜିଥିଲା ମଲ୍ଲୀଫୁଲ ଗଜରା ।
ମୁଁ ସେହି ରୂପସୀ ---ତୁମରି ପ୍ରେୟସୀ --
କୋଣାର୍କର ନଟୀ !!!!
ତୁମରି ସ୍ମୃତିକୁ ରଖିଛି ସାଉଁଟି ।
ସମୟର ବାଲୁକା ଶଯ୍ୟାରେ ---
ଅଙ୍କିତ ତୁମ ପଦଚିହ୍ନ ---
ସ୍ମୃତିର ସାତତାଳ ପଙ୍କେ ---
କେବେ କି ହୋଇପାରେ ନିଶ୍ଚିହ୍ନ ???
