STORYMIRROR

Biswanath Nayak

Others

4  

Biswanath Nayak

Others

ପରିଚୟ

ପରିଚୟ

1 min
553


ପାଣି ଫୋଟକା ମୁଁ ବରଷା ସୁଅରେ

              ଧିରେ ଧିରେ ଭାସିଯାଏ। 

ସୁଖ ଆଉ ଦୁଃଖ ଆଶା ଓ ନିରାଶା

               ମୋ ସାଥିରେ ବହିନିଏ।  

ଟିକେ ପାଣି ଆଉ ଟିକିଏ ପବନେ

                ବନ୍ଧା ମୋ ଜୀବନ ଡୋର।  

ଜାଣେନା ମୁଁ କେବେ ବତାସୀ ପବନେ

                ଉଜୁଡି ଯିବ ମୋ ଘର।  

କେତେ ବାଟ ଯିବି କେଉଁଠି ରହିବି

                 ଜାଣେନା ତାର ଠିକଣା।  

ମିଛଟାକୁ ସତ ସତଟାକୁ ମିଛ

                  ବୁଝି ହୁଏ ବାଟ ବଣା।  

ଜନମି ଏଠାରେ କେତେ ନୀର ବିମ୍ବ

                   ଲଭିଲେଣି ତ ବିଲୟ।  

ଡର ନାହିଁ ଜଳ ସମାଧି ନେବାକୁ

                  ଲୋଡା ମୋର ପରିଚୟ।  

ପରିଚୟ ପାଇଁ ସମୟ ବାଲିରେ

                  ଛାଡିଯିବି ପାଦ ଚିହ୍ନ। 

ଲିଭିବନି ସେହି ପାଦ ଚିହ୍ନ ଆଉ

                  ଜାତି ହିତେ ଦେଲେ ପ୍ରାଣ।  

ସାତ ରଙ୍ଗେ ମାରେ ରଙ୍ଗ ପିଚକାରୀ

                   ଇନ୍ଦ୍ରଧନୁର ସେ ହସ।  

ସେ ରଙ୍ଗ ଜୁଆରେ ଭୁଲି ମୁଁ ଯିବିନି

                   ମୋର ଅନ୍ତିମ ଦିବସ।  

ମୃତ୍ୟୁ ଯଦି ସତ୍ୟ ,ସତ୍ୟ ହିଁ ସୁନ୍ଦର

                  ସୁନ୍ଦର ତ ଚିରନ୍ତନ।  

ସୁନ୍ଦରତା କୁ ମୁଁ ଆନନ୍ଦ ମନରେ

                  କରିବି ତ ଆଲିଙ୍ଗନ।  

ମରଣରେ କେବେ ଜୀବନ ସରେନା

                  ମରେନା କୀରତି ଚୟ। 

ଅନ୍ୟ ହିତ ପାଇଁ ନିମିଷେ ଜୀଇଁବା

                   ମରଣର ପରାଜୟ। 

ନିଜ ସୁଖ ପାଇଁ ସମୟ କାଟିବା

                  ନାମଟି ଅଟେ ମରଣ। 

ସମାଜର ହିତେ ବଞ୍ଚି ରହିବାଟା

                  ଅଟେ ହିଁ ପରା ଜୀବନ।  

ସମୟ କାଟିବା ଜୀବନ ଜିଇଁବା

                 ଦୁଇ ନୁହେଁ କଥା ଏକ। 

ବଞ୍ଚିକି ମରିବା ମରିକି ବଞ୍ଚିବା

                 ଭିତରେ ଯାହା ଫରକ।  

ଆସି ଯେବେ ଆଉ ଏକ ନୀରବିମ୍ବ

                  ଲୋଡିବ ମୋର ଆଶ୍ରୟ। 

ବଞ୍ଚାଇବି ତାକୁ ଲହଡି ଆଘାତୁ

                 ହୋଇଣ ନିଜେ ବିଲୟ।  

ଜନମିବା ମୋର ହୋଇବ ସଫଳ

                  ବଞ୍ଚେ ଦଣ୍ଡେ ଅବା କ୍ଷଣ। 

ମରଣ କହିବ ସ୍ରଷ୍ଟାଙ୍କୁ ପ୍ରଣମି

                'ଧନ୍ୟ ତୁମର ସୃଜନ' |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍