ପ୍ରେତର ପ୍ରତିଶୋଧ
ପ୍ରେତର ପ୍ରତିଶୋଧ
ମଦିରା ରାକ୍ଷସ ଅଶ୍ଳୀଳ ସଂସ୍କାର ଖାଇଗଲା ସମାଜକୁ
ନାରୀଟିଏ ଯହିଁ ସୁରକ୍ଷିତ ନୁହେଁ ନିନ୍ଦିବା ଯାହା କର୍ମକୁ ।
ଜନନୀ ଭଗିନୀ ଜାୟା କନ୍ୟା ଆମ ସେହି ନାରୀ ଟିଏ ପାଇଁ
ଯା ଠାରୁ ଜନମ ଲଭିଛ ନିର୍ବୋଧ ମାନ ତା ରଖିବ ନାହିଁ !
କି ଦୋଷ କରିଲା ଏକୁଟିଆ ଯୁବତୀକୁ ଘରୁ ଘୋଷାରି ଆଣିଲ
ଦୁଇ ଜଣ ନର ରାକ୍ଷସ ପିଶାଚ ପରି ଆଚରଣ କଲ !
ଲୁଟିଲ ଇଜ୍ଜତ ତୃପ୍ତି ନମେଣ୍ଟିଲା ଗଣ ବଳାତ୍କାର କରି
ବିଭତ୍ସ ଭାବରେ ବିଦୀର୍ଣ କରିଣ ପକାଇଲ ତାକୁ ମାରି ।
ବାପା ମାଆ ତା'ର ପେଟ ପାଟଣାରୁ ଫେରି ଦେଖିଲେ ଘଟଣା
ବିକଳ କ୍ରନ୍ଦନ ବୁକୁଫଟା ତାଙ୍କ ହୋଇଗଲା ବୁଦ୍ଧି ବଣା ।
ସମାଜ ଓଲଟି ଦୁଶ୍ଚରିତ୍ରା ଆଖ୍ୟା ଦେଇ କରିଲା ଧିକ୍କାର
ବଡ ପଣ୍ଡାଙ୍କର ପୁଅ ତୁମେ ଯେଣୁ ସାହସ ଅଛି କାହାର !
ଆଇନର ଦ୍ବାର ଅଡୁଆ ବଢାଇ ପୁଲିସର ତାନମାନ
ଆତ୍ମ ସମ୍ମାନ ଘେନି ଆତ୍ମହତ୍ୟା କଲେ ସେହି ଦୁଇ ଜଣ ।
ସମାଜର ସ୍ମୃତି ଶକ୍ତି ଦୁର୍ବଳ ଭୁଲେ ଭାବି ଦୁର୍ଘଟଣା
ଝିଅଟିର ପ୍ରେତ ଆତ୍ମା ଘୁରିବୁଲେ ଭୁଲିବ କି ସେ ଘଟଣା !
ଜଙ୍ଗଲରୁ ଦିନେ ବଣଭୋଜି ସାରି ଆକଣ୍ଠ ମଦିରା ପାନ
ଅନ୍ତେ ଫେରୁଥିଲେ ହାବୁଡିଲା ପ୍ରେତ ଛନକା ପଶିଲା ମନ ।
ନେହୁରା ହୋଇଲେ ନିଶାଗ୍ରସ୍ତ ହୋଇ କରିଥିଲୁ ଅଘଟଣ
ଛାଡିଦିଅ ବାରେ ଆଉ ନ କରିବୁ ଏପରି ଘଟଣା ମାନ ।
ପିଶାଚଙ୍କୁ ପୈଶାଚିକ ନିର୍ଯ୍ଯାତନା ସମୁଚିତ ବ୍ୟବହାର
କାନୁନ ଯା ପାଖେ ହାର ମାନେ ସେ ନୁହଁଇ ପାତର ଦୟାର ।
କେତେ ଦଣ୍ଡ ନିଜେ ବରିନେଲେ ଦୁହେଁ କାଳେ ବଂଚିବ ଜୀବନ
ମୃତ୍ୟୁ ଦଣ୍ଡ ଛଡା ଆନ କେଉଁ ଦଣ୍ଡ ହୁଅନ୍ତା କି ପ୍ରତିଦାନ !
ଶୂନ୍ୟକୁ ଉଠାଇ କଚାଡି ଦୁହିଁଙ୍କୁ ମାରିଲା ପ୍ରେତ ନିର୍ଘାତ
ରଡିରେ ତାଙ୍କର ଭୁବନ କମ୍ପିଲା ସ୍ତବଧ ହୋଇଲା ବାତ ।
ହାଲୁକା ହୋଇଲା ପ୍ରେତ ଅନ୍ତରାତ୍ମା ଶୂନ୍ୟ ରେ ମିଳାଇ ଗଲା
ଜନତା ଜାଣିଲେ କଲା କରମର ଯଥାର୍ଥ ଫଳ ମିଳିଲା ।
କାହାଣୀ ନମଣ ଘଟୁଛି ଏପରି ଅଧିଭୌତିକ ଘଟଣା
ଚେତି ଯାଅ ନର ପିଶାଚ ବିବେକ କର ନାହିଁ ବାଟବଣା ।
