ପ୍ରେମର ଅବିର
ପ୍ରେମର ଅବିର
ମନ ସଙ୍ଗେ ଅଟେ ମନର ମିଳନ
ଯେବେ ହୋଇଯାଏ ଥରେ
ପ୍ରେମର ଫଲଗୁ ସଦା ଝରୁଥାଏ
ଅବିରତ ମଧୁ ଝରେ।
ଦଗ୍ଧ ମନରେ ଶୀତଳ ଚନ୍ଦନ
ବୋଳି ଦିଏ ସେହି ପ୍ରେମ
ପ୍ଲାବନ ଧାରାରେ ପ୍ଲାବିତ ଅଧରେ
ଶତ ଚୁମ୍ବନର ସ୍ବପ୍ନ।
ଆକାଶ ମଥାରୁ ଖସିପଡୁଥାଏ
ହୀରକ ବରଷା ଧାରା
ଟୋପିଟୋପି ବରଷା ମୋତିରେ
ସଜାହୁଏ ମୋ ଗଜରା।
ଅଭିମାନୀ ସିଏ ଅଭିମାନ କରି
ଗୁମାନ କରି ବସିଛି
ବାଦଲ ପଛରେ ମୁହଁକୁ ଲୁଚାଇ
କଣେଇ କରି ଚାହିଁଛି।
ପ୍ରେମିକ ପ୍ରବର ଦିବାକର ସମ
ଚଢି ସପ୍ତଘୋଡା ରଥେ
ଅଭିମାନିନୀର ଭାଙ୍ଗିବ ଗୁମାନ
ବାହିବ ଜୀବନ ପଥେ।
ତମସା ଧାଇଁଛି ସାଗର ସଙ୍ଗମେ
ପ୍ରମ ଉଠେ କରି ଜୟ
ନାରୀ ଜୀବନର ପୂର୍ଣ୍ଣତା ସାଉଁଟି
ହୋଇଯିବ ମହନୀୟ।
ପଦ୍ମଜା ପଲ୍ଲବେ ଢଳଢଳ ନୀର
ପ୍ରେମର ରହିଛି ସ୍ଥାନ
ନିମିଷକେ କାହିଁ ଅନ୍ଧାର ଆସଇ
ସବୁ ହୋଇଯାଏ ଶୂନ୍ଯ।
ଆକାଶ କୁସୁମ ପ୍ରିତି ଗନ୍ଧଭରା
ମହକେ ରଜନୀ କୋଳେ
ପ୍ରେମର ପିୟୂଷ ନୁହେଁ ତ ଗରଳ
ମଧୂର ତ ଅବିକଳ୍ପେ।
ମନର କୋଣରେ ନିବୃତ ସ୍ଥାନରେ
ରହିଯାଏ ଯେବେ ଥରେ
ବା'ବତାସରେ ଭାଙ୍ଗେ ନାହିଁ ନୀଡ
ବନ୍ଧା ଗୋଟିଏ ସୂତାରେ।
ପ୍ରେୟସୀ ଆଖିର ଚାହାଣୀରେ ପରା
ଲୁଚି ରହିଥାଏ ପ୍ରେମ
ହଜାରେ ଯୁଗର ଅସରନ୍ତି କ୍ଷୁଧା
ମିଳନ ପିୟାସୀ ମନ।
ମନ୍ଦିର କାନ୍ଥରେ ଅଳସୀ କନ୍ଯା ସେ
ପ୍ରତିକ୍ଷିତ ଦିବାନିଶି
ଶିଳ୍ପୀର ନିହାଣ ଛୁଇଁବ ତା ବକ୍ଷ
ଏକ ହୋଇଯିବେ ମିଶି।
ପ୍ରେମର ମହ୍ଲାର ସାତସୁରେ ବନ୍ଧା
କୁଞ୍ଜବନେ ହୁଏ କେଳି
ରାଇର ପ୍ରଣୟେ ବନ୍ଧା ନନ୍ଦସୁତ
ପ୍ରେମର ଅବିର ବୋଳି।
