ପ୍ରେମାବେଶ
ପ୍ରେମାବେଶ
ପଥ ଏ' ପାବନ ନଥାଇ ଧାବନ
କଲି ମରୀଚିକା ପଛେ
ରୂପର ବିପାଶା ସୁଅରେ ପିପାସା
ମରେନି ତଥାପି ବଞ୍ଚେ ।
ସହିଲି ଲାଞ୍ଛନ କାମିନୀ କାଞ୍ଚନ
ସଂଗ୍ରହରେ ସିନା ମିଛେ
ଭ୍ରମେ ବଶୀଭୂତ ପୁନଶ୍ଚ ନିବୃତ୍ତ
ହେଲେ ବି ଅଧିକ ଇଚ୍ଛେ ।
କ୍ଷଣିକ ଛଳରେ କର ଯୁଗଳରେ
ଆଶ୍ଳେଷି ନିଅନ୍ତେ ଛନ୍ଦି
ଅତୁଟ ବିଶ୍ବାସେ ଚିରକାଳ ପାଶେ
ହୋଇ ପାରେନାହିଁ ବନ୍ଦୀ ।
ପ୍ରାଣାହୁତି ନ୍ୟାୟେ ପତଙ୍ଗ ପରାୟେ
ଅନଳେ ଦିଅଇ ଝାସ
ଅଲୋଡ଼ା ରୀତିରେ ଅସ୍ଥାୟୀ ପ୍ରୀତିରେ
ପାଇଛି କେବଳ ପ୍ରାସ ।
ଯଯାତିଙ୍କ ଭଳି ଯଉବନେ ଜଳି
ହୋଇନାହଁ ପ୍ରଶମିତ
ଦିବ୍ୟ ପ୍ରେମସୁଧା ସନ୍ଧାନରେ ସୁଦ୍ଧା
ବଳିନି ଏଯାଏଁ ଚିତ୍ତ ।
ଏହି ମୋହଜାଲେ ଅଯଥା ଜଞ୍ଜାଳେ
ହେଉ ହେଉ ହନ୍ତସନ୍ତ
ଲାଗେ ବିଷମୟ ଅମୂଲ୍ୟ ସମୟ
ବେଳୁ ବେଳ ହୁଏ ଅନ୍ତ ।
ଯେତେବେଳେ ଯାହା କରଣୀୟ ତାହା
କରିବାରେ ନାହିଁ ଲକ୍ଷ୍ୟ
ଭାବେ ଅବଗାହି ଡାକେ ଭାବଗ୍ରାହୀ
ପ୍ରେମାବେଶେ ଏବେ ରଖ ।
