ପ୍ରେମ ପାଇଁ ଋତୁଟିଏ
ପ୍ରେମ ପାଇଁ ଋତୁଟିଏ
କେଜାଣି କାହିଁକି
ତୁମେ ବେଶି ବେଶି
ମନେପଡ଼
ସକାଳୁଆ ନରମ ଖରାରେ
କେବେ ପୁଣି
ନିରୋଳା ସଂଜରେ
ତୁମେ ଚୁପ୍ କିନା
ଠିଆ ହୁଅ
ମୋ ଭିତରେ..।
ତମେ ମୋତେ ନା
ମୁଁ ତୁମକୁ
ମନେ ପକାଇବା ଆଗରୁ
ସମ୍ମୋହିତ ମନ୍ତ୍ର ସବୁ
ଭିଜେଇ ଦିଏ
ଅପେକ୍ଷୀତ ମୁହୂର୍ତ୍ତ ମାନଙ୍କୁ…।
ଛୁଇଁଯାଏ
ଦେହରୁ ମନକୁ
ମନରୁ ପ୍ରାଣକୁ
ତୁମେ ଯେ ମୋ ଭିତରେ
ସମାହିତ ଅନନ୍ତକାଳରୁ..।
ପୁଣି କେବେ ସମ୍ଭାବନାରେ
ମହକୁଥିବା ସ୍ଵପ୍ନ ସବୁ
ଉଙ୍କିମାରେ
କିଛି ଶୁନ୍ୟତା
କିଛି ପରିପୂର୍ଣ୍ଣତା
ଆଉ କିଛି ତୁମ
ଭଲ ପାଇବାର ପ୍ରଗାଢ଼ତା
ଆବୋରି ବସେ
ଶବ୍ଦ ବି ଫିକା ପଡିଯାଏ
ମୁଁ ଆଉ ମୁଁ ହେଇ ନ ଥାଏ
କେମିତି କେଜାଣି ହଜିଯାଏ
ମୋ ଠୁ ତୁମ ଯାଏ
ଯିବା ରାସ୍ତାରେ
ବହିଯାଏ ଆବେଗରେ...।
ମୁଁ କେବେ ବି ଭାବି ପାରେନି
ନିଜକୁ ତୁମବିନା
ତୁମେ ଇ ଆରମ୍ଭ
ତୁମେ ଇ ତ ଶେଷ..।
ଦେଇ ପାରିବ ଯଦି
ମତେ ସ୍ଵପ୍ନଟିଏ ଦିଅ
କିଛି କହିବାର ଭାଷା ଦିଅ
ପ୍ରତିଶ୍ରୁତିଟିଏ ଦିଅ
ପ୍ରେମରେ ପରିପୂର୍ଣ୍ଣ
ଋତୁଟିଏ ଦିଅ...
ତୁମ ପ୍ରେମରେ
ମୁଁ ନିଃସ୍ଵ ହେବା ଆଗରୁ
ମତେ ଫେରେଇ ଦିଅ
ମୋ ଭିତରକୁ
ଥରେ ଖାଲି ଛୁଇଁ ଦେଇ
ନିଃଶବ୍ଦରେ ସ୍ଵପ୍ନ ବୁଣୁଥିବା
ରାତିଟିଏ ଦିଅ
ଯେଉଁଠି ସରିଯିବ ଦିଗ୍ବବଳୟ...।
#ସସ୍ମିତା ମହାପାତ୍ର