ପ୍ରଭାତ ବର୍ଣ୍ଣନା
ପ୍ରଭାତ ବର୍ଣ୍ଣନା
ମଙ୍ଗଳ ପ୍ରଭାତ କାଳ ପ୍ରାଚୀ ଗଗନ ମଞ୍ଜୁଳ
ରକ୍ତିମ ଆଭା ରଞ୍ଜିତ ଉଷା ନାୟିକା
ପରିଧାନ କି ଶୋଭିତ ଜିଣିନିଏ ମନ ସେ ତ
ଲଲାମେ ଶୋହେ ତାହାର ସିନ୍ଦୁର ଟୀକା
ତପନ ସେ ଜଗତ ବନ୍ଧୁ
ଉଇଁ ଆସନ୍ତି ଆନନ୍ଦେ ବିଦାରି ସିନ୍ଧୁ ।
ମଳୟ ଗୀତିକା ଗାଏ ମଧୂପ ବୀଣା ବଜାଏ
ଫୁଲୁଁ ଫୁଲ ଉଡି କରେ ମଧୁ ଗୁଞ୍ଜନ
ନବ ପ୍ରସ୍ଫୁଟିତ ପୁଷ୍ପ କର୍ଣ୍ଣ ଗହ୍ୱରେ ସତତ
ଜଣାଏ କି ଉଷା ରାଣୀ ଶୁଭାଗମନ
ବିକାଶଇ କୁସୁମ କାନ୍ତି
ସୁବାସରେ ହରଷିତ ହୁଅଇ ମତି ।
ପ୍ରଭାତର ଆଗମନେ କୁକ୍କୁଟାଦି ପକ୍ଷୀମାନେ
କଳରବେ ମୁଖରିତ କରିଲେ ଧରା
କୁମ୍ଭାଟୁଆ କାକ ପିକ ମୃଗାଦି ମୃଗ ଶାବକ
ଚଳଚଞ୍ଚଳ ସରବେ ହୋଇଲେ ତ୍ୱରା
ଉଷା ଆଗମନୀ ଗୀତିକା
ଗାନ କି କଲେ ସରବେ ହୋଇ ଉତ୍ସୁକା ।
ଗୁରୁକୁଳ ବେଦ ସ୍ବନ ଶୁଭିଲା ଭେଦି ଗଗନ
ପ୍ରଣବ ଧ୍ୱନି ସଞ୍ଚରେ ସଦା ମନରେ
ଶମ୍ଭୁ ଆଳେ କମ୍ବୁ ସ୍ବନ ଘଣ୍ଟି ଘଣ୍ଟାର ନିସ୍ୱନ
ଶବଦ ଶୁଭିଲା ଦେବ ଦେବୀ ମନ୍ଦିରୁ
ସୁମଙ୍ଗଳ ପ୍ରଭାତ କାଳ ।
ନିଦ୍ରା ପରିହରି ଜନେ ହେଲେ ଚଞ୍ଚଳ ।
ପ୍ରଭାତର ଅବକାଶ ଦେବ ମନ୍ଦିରେ ବିଶେଷ
ସନ୍ଧ୍ୟା ବନ୍ଦନାଦି ଦ୍ୱିଜେ ନିଜେ ଆଚରି
କୃଷିକାରୀ ହିତକାରୀ ହଳ ଲଙ୍ଗଳକୁ ଧରି
କ୍ଷେତକୁ ଚଳନ୍ତି କୃଷି ଜୀବିକା କରି
ଘରଦୁଆର ପରିଷ୍କାର ।
ପରିଚ୍ଛନ କରୁଛନ୍ତି ନାରୀ ଓ ନର ।
ପ୍ରଭାତ ଭ୍ରମଣକାରୀ ଭ୍ରମଣେ ଛନ୍ତି ବାହାରି
ଲେଉଟିବେ ଶୀଘ୍ର ସାରି ପ୍ରାତଃ ଭ୍ରମଣ
ଚକ୍ରବାକ ଚକ୍ରବାକୀ ପ୍ରାତଃ ଆଗମନ ଦେଖି
ପୀରତିରେ ରଖି ମତି ହେଲେ ମଗନ
କାଳରାତ୍ରି ଯାଇଛି ଚାଲି ।
ପ୍ରଭାତ କାଳ ଆନନ୍ଦଦାତା ତାଙ୍କରି ।
ଉଇଁ ଆସନ୍ତି ତପନ ସୁନ୍ଦର ଦିଶେ ଲପନ
ବୁଣିଲେଣି ସମୁଜ୍ଜ୍ୱଳ କିରଣ ରେଣୁ
ଗୋପାଳବାଳକଗଣେ ଗୋଗୋଷ୍ଠ ଘେନି କେସନେ ବନକୁ ଚଳନ୍ତି ଦେଖ ବଜାଇ ବେଣୁ
ଶିଶୁମାନେ ପୁସ୍ତକ ଧରି ।
ବିଦ୍ୟା ଅଧ୍ୟୟନ ଅର୍ଥେ ଗଲେ ବାହାରି ।
ପୁଣ୍ୟ ପ୍ରଭାତର କାଳ ମନ ହୁଏ ସୁନିର୍ମଳ
ନବ ଉନ୍ମାଦନା ଭରି ଦିଏ ମନରେ
ଯାଇଛି ପୂର୍ବ ଯାମିନୀ ନବ ରୂପ ଆଶା ଆଣି
ନୂତନ କର୍ମ ପ୍ରେରଣା ଜାଗେ ହୃଦରେ
ନବ ପ୍ରଭାତ ଉଦ୍ଦୀପନା ।
ସଭିଙ୍କର ମନେ ଆଣେ ନବ ଭାବନା ।
