ପ୍ରବାସ
ପ୍ରବାସ
ଝୁରୁଛି ଏ ମନ କାନ୍ଦୁଛି ଏ ଆଖି
ଶେଯ ରହିଯାଏ ସାକ୍ଷୀ
ଖୋଜୁଛି ସପନ ମା' ତୋ କୋଳକୁ
ଉଡିଯାଏ ମନ ପକ୍ଷୀ।।
ତୋ ବିନା ଜୀବନ କଟୁଛି କେମିତି
ଏକା ସିନା ମୁଁ ଯେ ଜାଣେ
ତୁ ରହିଗଲୁ ବହୁତ ଦୂରରେ
ଖୋଜେ ତତେ ମନେ ମନେ।।
ଇଚ୍ଛା ମୋ କହୁଛି ପଣତରେ ତୋର
ମୁହଁ ଦିଅନ୍ତି କି ଢାଙ୍କି
ଦେଖି ପାରନ୍ତିନି ଦୁନିଆଁ କଳୁଷ
ଅନ୍ଧକାର ପ୍ରତିଛବି।।
ତୋ ଓଠର ସ୍ପର୍ଶ ସଜେଇ ଦିଅନ୍ତା
ମୋ ହୃଦୟର ବାଟ
ତୋର ସ୍ନେହ ଟିକେ ମିଳି ଯାଆନ୍ତା କି
ଅନେଇ ବସିଛି ପଥ।।
ଏକା ଏକା ଆଉ ଚାଲି ପାରୁ ନାହିଁ
ଥକା ଲାଗେ ଏ ଜୀବନ
ତୋ ପଣତ ତଳେ ଶୋଇ ପଡନ୍ତି କି
କମନ୍ତା ମୋ ପଥ ଶ୍ରମ।।
ତୋ ହାତ ରନ୍ଧା ଖାଇନି କେବେଠୁ
ହେଇନି କେବେଠୁ ଗେଲ
କଳ୍ପନା ଟା ଖାଲି ସାଜୁଅଛି ଆଜି
ଅମୂଲ ଭିତରେ ମୂଲ।।
ସ୍ବାଧୀନତାର ଏ ସ୍ଵାଦ ଚାଖୁ ଚାଖୁ
ତୋ ମୁହଁ ହେଲା ସ୍ଵପ୍ନ
ଜୀବନ ଟା ଲାଗେ ବାସ୍ନା ହୀନ
କଟୁନି ମୋର ଏ ଦିନ।।
ଆଖି ଲୁହ ମୋର ଓଠ ପିଇ ଯାଏ
କହିବି କାହା ଆଗରେ
ତୁ ଥିଲେ ସିନା ପୋଛି ଦେଇଥାନ୍ତୁ
ସ୍ନେହ ବୋଳା ପଣତରେ।।
ଅସହ୍ୟ ହେଉଛି ପ୍ରବାସ ର ଜ୍ଵାଳା
ସାହା ଏଠି କେହି ନାହିଁ
ଝୁରୁଛି ଏ ମନ ଝୁରେ ସବୁଦିନ
ତୋର ଟିକେ ସ୍ନେହ ପାଇଁ।।
ଶୁଣୁଥିଲି ଖାଲି ମାଆ ର ମହତ୍ତ୍ଵ
ବୁଝୁଛି ମୁଁ ସତେ ଆଜି
ଯୋଉଠି ଥାଆ ତୁ ଭଲରେ ଥାଆ ମା
ପ୍ରାର୍ଥନା ମୁଁ କରୁଅଛି।।
