STORYMIRROR

Jyotiranjan Sahu

Others

3  

Jyotiranjan Sahu

Others

ପରାଜୟ

ପରାଜୟ

1 min
230


ପରାସ୍ତ ସୈନିକ ଜୀବନ ଯୁଦ୍ଧରେ

ମୁଁ ଜଣେ ଜାଣେନା ଜୟର ସ୍ବାଦ

ଦୁନିଆଁ ଜାଣିଛି ବିଜୟର ମୂଲ୍ୟ

ମୂଲ୍ୟହୀନ ପରାଜିତର ସ୍ବେଦ ॥


ଗ୍ରୀବାରେ ସଜ୍ଜିତ ହୁଏ ପୁଷ୍ପମାଳା

ବିଜୟ ଲଲାଟେ ଶୋଭେ ତିଳକ

ଗ୍ଳାନିର ସଜ୍ଜିତ ଅଗ୍ନିର ଶଯ୍ୟାରେ

ଦଗ୍ଧୀଭୂତ ହୁଏ ମୁଁ ପରାଜିତ ॥


ପରାଜିତ କରେ ନୀରବ ଚିତ୍କାର

ବିଜୟ ହାସ୍ୟରେ ଧ୍ବନିତ ଧରା

ପରାଜୟ ମୋର ଚିରସହୋଦର

କ୍ଷଣିକ ଅତିଥି ବିଜୟ ପରା ॥


ବାରମ୍ବାର ଆସେ ପରାଜୟ ସତେ

ଅବା ସେ ଅତିଥି ଅନିମନ୍ତ୍ରିତ 

ଦୁଃଖ ଅବଶୋଷ ଗ୍ଳାନି ଅପମାନ

ଉପମାରେ ହୋଇ ସେ ଅଳଂକୃତ ॥


ଉପବିଷ୍ଟ ହୁଏ ପରାଜୟ ଯେହୁଁ

ଭୂପତିତ ହୁଏ ମାନ ସମ୍ମାନ

ହୁଏ ଯେହୁଁ ଜୟ ଉପବିଷ୍ଟ ସ୍କନ୍ଧେ

ଆକର୍ଷିତ ସର୍ବଜନଙ୍କ ଧ୍ୟାନ ॥


କ୍ଳାନ୍ତ ମନୋରଥ କ୍ଳାନ୍ତ ଏଶରୀର

ପରାଜୟ ଗ୍ଳାନି ଭୀରୁ ଚିନ୍ତନ

ଇଚ୍ଛା ଅସୁମାରୀ ଦେହ ସମର୍ପିବି

ଅତିଷ୍ଠ ଶରୀରେ ଅନ୍ତର୍ଦହନ ॥


ଆରେ ଆରେ ଆରେ ପରାସ୍ତ ସୈନିକ

ବୋଲି ଉଚ୍ଚାରିଲା ଶିଖର ଦେଶୁ

କିଏ ବୋଲି ଯେବେ ଉର୍ଦ୍ଧକୁ ଦେଖିଲି

ଜୟ ଡାକେ ପୁଣି ପରାଜୟକୁ ॥


ଗଗନ ଚୁମ୍ବିତ ଆସନ ଜୟର

ଶୀର୍ଷକୁ ଦେଖଇ ଦୁଇ ନୟନ

ଆଶ୍ରିତ ପରାଏ ପରାଜୟ ସ୍ତମ୍ଭେ 

ବିଜୟ ଆସନ ବିଦ୍ୟମାନ ॥


ଜୟ ର ଆସନୁ ବିଚ୍ଛୁରିତ ହୁଏ

ସତେ ନବ ରତ୍ନୁ ଆଲୋକ ଶିଖା

ଦେଖେ ପରାଜୟ ନବ ରତ୍ନ ନୁହେଁ

ସେ ପରାଜୟର ଜୀବନ ଗାଥା ॥


ହସି ଜୟ କହେ ଶୁଣ ପରାଜୟ

ତୋ ବିନା ନାହିଁ ମୋ ଅସ୍ତିତ୍ଵ କିଛି

ଦୁନିଆଁ ନବୁଝୁ ପରାଜୟ ମୂଲ

ଅମୂଲ ମୂଲ ତୁ ମୁଁ ଯେ ବୁଝିଛି ॥


ଯେଦିନ ଜୟର ମଥାରେ ମୁକୁଟ

ଗ୍ରୀବା ଦେଶେ ହେବ ପୁଷ୍ପ ଶୋଭିତ

ଆଖିର ଲୋତକ ନିରବେ କହିବ

ମୂଲ ଏତ ପରାଜୟ ପ୍ରଦତ୍ତ ॥



Rate this content
Log in