STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ପଞ୍ଚକ

ପଞ୍ଚକ

1 min
178


ଧରାରେ ବିଦିତ ମାସ ମଧ୍ୟେ ଶ୍ରେଷ୍ଠ 

କାର୍ତ୍ତିକ ମାସର ଖ୍ୟାତି

ଦୟା,ଦାନ,ଧର୍ମ,ପୁଣ୍ୟ,ଭକ୍ତି ,ମୁକ୍ତି 

ଆକାଶକୁ ଛୁଏଁ କୀର୍ତ୍ତି  ।।


ପଞ୍ଚକର ବ୍ରତ ଶାନ୍ତିର ପ୍ରତୀକ

ଈଶ୍ଵରଙ୍କୁ ଅଭିପ୍ରେତ

ପାଂଚଦିନ ଧରି ଚଉଁରା ମୂଳରେ

ଜଳୁଥାଏ ଦୀପେ ଘୃତ ।।


ଭଜନ କୀର୍ତ୍ତନ ଭକ୍ତି ସମ୍ମୋହନ

ଭୂମିରୁ ଭୂମାକୁ ଛୁଏଁ  

ସବୁଜ ଧରଣୀ ସୁମଧୁର ଛନ୍ଦେ 

କାର୍ତ୍ତିକ ମାହାତ୍ମ୍ଯ ଗାଏ ।।


ଗୀତା, ଭାଗବତ ,ପୋଥି ଓ ପୁରାଣ

ଦିବ୍ୟ ଦର୍ଶନର ମାର୍ଗ

ପଂଚବର୍ଣ୍ଣୀ ମୁର୍ଜେ ଝଲମଲ ହୁଏ

ପଞ୍ଚକର ପୁଣ୍ୟ ପର୍ବ ।।


ଶୁଦ୍ଧ ଓ ପବିତ୍ର ଚିତ୍ତରେ ହବିଷ 

ମହମହ ବାସୁଥାଏ

ଶାଶ୍ଵତ ଚେତନା ସନ୍ତାପିତ ପ୍ରାଣେ

ଫୁଲ ହୋଇ ଫୁଟୁଥାଏ ।।


ଦେହ ମନ ପ୍ରାଣ ସୁବାସିତ ହୁଏ

ଶୁଦ୍ଧ ମୁଗ୍ଧ ସ୍ନିଗ୍ଧ ଭାବ

ସତ୍ୟର ବତୀ ପ୍ରଜ୍ବଳିତ ଶିଖା

ଦିବ୍ୟତ୍ବର ଆବିର୍ଭାବ  ।।


କାର୍ତ୍ତିକ ପୂର୍ଣ୍ଣିମା ପଞ୍ଚକର ଶେଷ

ପ୍ରଭୁ କାର୍ତ୍ତିକଙ୍କ ପୂଜା 

ଧରାରେ ଉଡିବ ଧର୍ମର ପତାକା

ଉଚ୍ଚେ ରହିଥିବ ଊର୍ଜା   ।।


ପୂର୍ଣ୍ଣମି ରାତ୍ରିର ଜ୍ୟୋସ୍ନାର ସମ୍ଭାର

ହସୁଥାଏ ରୂପାଜହ୍ନ

ଆକାଶ ଦୀପର ଦିକି ଦିକି ଜ୍ୟୋତି

ପୂର୍ଣ୍ଣ କରେ ରିକ୍ତ ମନ ।।


ଥୁରୁ ଥୁରୁ ଜାଡ ପାହାନ୍ତା ପ୍ରହର

ବୋଇତ ବନ୍ଦାଣ ପର୍ବ

ଶଙ୍ଖ,ହୁଳହୁଳି,ଝାଂଜ,କରତାଳି

ଉତ୍କଳର ଗଉରବ ।।


ଓଡିଆ ଜାତିର ଗର୍ବର ସଂକେତ 

ପଞ୍ଚକର ଅନ୍ତଃସ୍ବର 

ପବିତ୍ର ମଧୁର ସ୍ନିଗ୍ଧ ସଦଭାବ

ଏକତାରେ ଭରପୂର  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍