ପଣତକାନି
ପଣତକାନି


ବୋଉଲୋ ;
ତୋ କୋଳରେ ରହି ଭୁଲିଥିଲି
ଡର ଭୟ ଭୋକ ଶୋଷ ଯେତେ
ତୋ ପଣତକାନିର ସେ ସୁଶୀତଳ ଛାୟା ତଳେ
ମିଳୁଥିଲା କେତେ ଶାନ୍ତି ସତେ !!
ନାନୀ ଲୋ ;
ତୋର ମୋର ବୟସର ଯେତେ
ତାରତମ୍ୟ ଥିଲେ ସୁଦ୍ଧା
ତୋ ସ୍ନେହରେ ବନ୍ଧା ଥିଲି ମୁହିଁ
ତୋ ସ୍କୂଲରେ ମିଳୁଥିବା ମିଷ୍ଠାନ୍ନରୁ
ଅଧା ଖାଇ ଅଧା ଆଣୁ ଥିଲୁ
ତୋ ପଣତକାନିରେ
ସାତ ଗଣ୍ଠି ଦେଇ !!
ପ୍ରିୟା ଗୋ ;
ବୟସର ମତୁଆଲି ପ୍ରଖର ସ୍ରୋତରେ
କେତେଯେ ଗଭୀର ଥିଲା
ପ୍ରେମ, ତୁମର ମୋଅର
ପ୍ରଚଣ୍ଡ ସେ ଖରା ବେଳେ
ଅବା କେବେ ପ୍ରବଳ ବର୍ଷାରେ
ମୋ ମଥାରେ ରଖି ଦେଉଥିଲ
ଅଧା ତୁମ ପଣତ କାନିର !!
ଅର୍ଦ୍ଧାଙ୍ଗିନୀ ଗୋ ;
ଆଜି କିମ୍ପା ସମୟ ମିଳେନା
ତୁମର ସେ ପଣତକାନିରେ ମଥା ରଖି
ଟିକେ କ୍ଲାନ୍ତ ମେଣ୍ଟିବାକୁ
ପିଲା ଛୁଆ ସଂସାରକୁ ସଜାଡୁ ସଜାଡୁ
ଏ ମନ ଭୁଲିନି କେବେ
ବିବାହ ବେଦୀର ସେହି
ପଣତକାନିର ବନ୍ଧନକୁ !!