"ମୋ ଗାଁ ରେ ସକାଳ "
"ମୋ ଗାଁ ରେ ସକାଳ "




ଉଇଁ ଉଇଁ ଆସେ ସୂରୁଜ
ବୁଣି ବୁଣି ଯାଏ ମୂରୁଜ
ମୋ ଗାଁ ବୋହୂ
ରାତି ପାହୁ ପାହୁ
ଦାଣ୍ଡ ବାରି କରେ ଶଉଚ !
ମୋ ଗାଁ ଚଷା ଭାଇ
ଅଣ୍ଟାକୁ ଭିଡ଼ଇ
ଖାଇଦେଇ ବାସି ପଖାଳ
ସୁକୁମାରୀ ବିଲେ
କେତେ ଯତନରେ
ଫସଲ କରଇ ଅମଳ
ଯୋଡି ବଳଦରେ
ବନ୍ଧା ଘୁଂଗୁରୁରୁ
ଶୁଭେ ମନଲୋଭା ଶବଦ !
ମୋ ଗାଁ ମନ୍ଦିରେ
ମଙ୍ଗଳ ଆଳତି
କରନ୍ତି ଯେ ପଣ୍ଡା ପୁଅ
ଘଣ୍ଟା ଘଣ୍ଟି ନାଦେ
ମନ୍ତ୍ରର ନିନ୍ନାଦେ
ବହେ ଆନନ୍ଦର ସୁଅ
ତାହା ସାଥେ ମିଶି
ପକ୍ଷୀ କଳରବ
ମନ କରିଦିଏ ସତେଜ !
ଧୀବର ପୁଅଟି ଡ଼ଙ୍ଗା ଜାଲ ନେଇ
ଚିଲିକାରେ କରେ ପ୍ରବେଶ
ମାଆ କାଳିଜାଇ ସୁମରଣା କରି
ମାଛ ଧରେ ହୋଇ ହରଷ
ଚିଲିକା ରାଣୀର
ସୁନୀଳ ଜଳରେ
ଚି଼କମିକ କରେ ସୂରୁଜ !