ପଲ୍ଲୀ କୋଳ ରେ ବସନ୍ତ
ପଲ୍ଲୀ କୋଳ ରେ ବସନ୍ତ
ଋତୁ କ୍ରମ ରେ ସେ ଆସନ୍ତି ଅନ୍ତ ରେ
ପରିଚିତ କିନ୍ତୁ ଋତୁରାଜ ବସନ୍ତ ନାମରେ ।
ବସନ୍ତ ଆସଇ ପୁଷ୍ପ ରତ୍ନେ ହୋଇ ବିଭୂଷିତ
ତାଙ୍କ ପାଇଁ ପ୍ରିୟ ରେ ବନ ଗାଏ ଯେ ସଙ୍ଗୀତ ।
ତାଳ ଦିଏ ତା ସହ ତରୁଶାଖା ରେ ସମୀରଣ
ସେ ସମୀରଣେ ଖେଳିଯାଏ ଦେହେ ଶିହରଣ ।
ଦ୍ରୁମଲତା ରେ ଭରେ ନବ ପଲ୍ଲବ ବସନ୍ତ ଆଗମନେ
ପ୍ରକୃତି ଫୁଲେଇ ହୁଏ ଟିକେ ନିଜ ମନେ ମନେ ।
ଫୁଲ ର ସମ୍ଭାର ନେଇ ଆସେ ବସନ୍ତ
ଅଶୋକ,ବକୁଳ,ମାଧବୀ ସଙ୍ଗେ ବାସଙ୍ଗ, କାଞ୍ଚନ ।
ତରୁଲତା କୁ କରେ ସୁଶୋଭିତ
ଶିମିଳି,ପଲାଶ ଫୁଲ ର ବର୍ଣ୍ଣ ଲୋହିତ ।
ଆମ୍ରମୁକୁଳ ରେ ଭରିଯାଏ ଆମ୍ରକୁଞ୍ଜ
ଧଳା ଧଳା ଆମ୍ବ ବଉଳ ହୋଇଥାଏ ଗୁଞ୍ଜ ଗୁଞ୍ଜ ।
ଆମ୍ବ ଗଛ ଡାଳେ ସେ କୋଇଲି ର କୁହୁତାନ
ପଲ୍ଲୀ ଦୃଶ୍ୟ କୁ କରେ ବେଶ୍ ମନୋରମ ।
ଫୁଲ ରୁ ଫୁଲ କୁ ଉଡ଼ି ଭଅଁର କରେ ମଧୁପାନ
ସମୀରଣ ଲହରୀ ରେ ବୃକ୍ଷଲତା ହୁଏ ଦୋଳାୟମାନ ।
ପଲ୍ଲୀ କୋଳରେ ବସନ୍ତ ଅତ୍ୟନ୍ତ ମନୋହର
କବି,ଭାବୁକ ଆସନ୍ତି ଛାଡି ନଗର ସହର ।