STORYMIRROR

Padmaja Saran

Others

4  

Padmaja Saran

Others

ପକ୍ଷୀଗୀତ

ପକ୍ଷୀଗୀତ

1 min
174

ପ଼ଞ୍ଜୁରୀ ଖୋଲା 

ଉଡି ଯାଏନା ପକ୍ଷୀ

କେବେଠୁ ଭୁଲିଲାଣି ଆକାଶ ଠିକଣା

ଆଉ କ'ଣ ମନେଅଛି ଉଡିବାର କଳା କି କୌଶଳ....


ଆକାଶ ଆଉ ଡେଣା ମଝିରେ 

ଖୁବ୍ ମଉନ ସେ

ଫଳମୂଳ, ଖୁଦ ତଣ୍ଡୁଳ ଭିତରେ

କିଏ ଦେଇଚାଲିଛି ବିବଶ ହେବାର ମହୁ


ବିଚାରି ମିଠା ଲାଗୁଛି ବୋଲି

ଖାଇ ଚାଲିଛି କେବେଠୁ


ଆକାଶ କ'ଣ ଡାକିନି ???


ଡାକିଛି......


ଡାକିଛି କଅଁଳ ସକାଳର ସୁନା ରଙ୍ଗରେ

ଗୋଧୂଳିର ଅସ୍ତରାଗରେ

ଇନ୍ଦ୍ରଧନୁର ଇସାରାରେ

ପଠେଇଛି ମେଘମେଦୁର ଛାଇରେ

ନିବିଡ ନିମନ୍ତ୍ରଣ 


ସବୁକୁ ଆଖିବୁଜି ଗୀତ ଗାଉଛି ପକ୍ଷୀ,


ଗୋଟେ ଘୋଷା ଗୀତ

ଯାହାର ଲେଖକ କି ସୁରକାର ସେ ନୁହେଁ


ଗାଉଛି ଏଇ ପ଼ଞ୍ଜୁରୀ

ପ଼ଞ୍ଜୁରୀ ନୁହେଁ

ସ୍ଵର୍ଗର ବିକଳ୍ପ

ଏ ଉଚ୍ଛିଷ୍ଟ ଉଚ୍ଛିଷ୍ଟ ନୁହେଁ ଅମୃତ 

ମୁଁ ଉଡିବା ଜାଣେନା

ବନ୍ଦକର ପ଼ଞ୍ଜୁରୀର ଦ୍ଵାର


ମୁଁ ବନ୍ଦକଲି ପ଼ଞ୍ଜୁରୀ

ପକ୍ଷୀ ଗୀତ ଗାଇଲା

ଚକ୍ରଧର ଚକ୍ରଧର 

ପକ୍ଷୀ ଜନ୍ମରୁ ଉଦ୍ଧାର କର

ମୁଁ ସବୁବେଳେ ଏ ଗୀତ ଶୁଣି ହସେ

ସେ ହସ ଆଖିରୁ ଝରେ

ଖୁବ୍ ଲୁଣିଆ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍