ପିତରି ପ୍ରିତିମାପର୍ଣ୍ଣେ
ପିତରି ପ୍ରିତିମାପର୍ଣ୍ଣେ
ପ୍ରହ୍ଲାଦ ସଂସାରେ ଶ୍ରେଷ୍ଠ ଭକତର ବିବେଚନା ଯଦି ହେଲା
ହିରଣ୍ୟକଶ୍ୟୁପ ନିକୃଷ୍ଟ ପିତାର ପଦବାଚ୍ଯ କାହିଁ ହେଲା !
ନାରିକେଳ ଉପାଖ୍ଯାନ ସରିସମ ପିତା ହୃଦୟ କଠୋର
ପାଳେ ଯେଣୁ ପିତା କଟୁ ପିତା ସେତ ହିତ ପାଇଁ ସନ୍ତାନର ।
ସନ୍ତାନ ସପନ ଲାଗି ପିତାଟିଏ ନିଜ ସପନକୁ ମାରି
ମାଟିକୁ କାମୁଡି ଲଢୁଥାଏ କାଳେ ପୁର୍ଣ ହେବ ଆଶାବରୀ ।
ମା ପାଖେ ଅଳି କରନ୍ତି ସନ୍ତତି ଆଦର ସୋହାଗ କରି
ମା' ନ କହୁଣୁ ବାପା ଦିଅନ୍ତି ସେ ଅଳିକୁ ପୁରଣ କରି ।
ସନ୍ତାନଙ୍କ ଅରଦଳି ମେଣ୍ଟାଇବା ଧର୍ମ ତେଜି ନିଜ ସୁଖ
ମୁଣ୍ଡ ଝାଳ ପଛେ ତୁଣ୍ଡରେ ମରିବ ପିଲା ନଜାଣିବେ ଦୁଖ ।
ବାପା ଥିଲା ପୁଅ ସଭାରେ ହାରେନି ବାପା ଅଭିଜ୍ଞତା ନେଇ
ସନ୍ତାନ ଜଗତେ ଜିତି ଯାଉଥାଏ କଷ୍ଟ ଜଣା ପଡେ ନାହିଁ ।
ପିତର ଯାହାର ଅଧିଷ୍ଠିତ ସେଇ ସନ୍ତାନ ଜଗତ ଜିତା
ଅଣବାବୁଆର ପଦେ ପଦେ ଦୁଖ ଲାଂଛନାଟି ସାର କଥା ।
ପିତା ଧର୍ମ ପିତା ସ୍ୱର୍ଗ ପିତା କାହିଁ ପରମ ତପ ନହୋଇ
ପୁତ୍ ନରକରେ ଘାଣ୍ଟି ହେଉଥାଏ ପୁତ୍ର କୁ ଜନମ ଦେଇ ।
ଦୁନିଆଁ ଦାଣ୍ଡରେ ଛିଡା କଲାପରେ ନିଗାଡି ଦେହର ସ୍ୱେଦ
ବୁଢା ହୋଇ ବାପ ବୃଦ୍ଧାଶ୍ରମେ ଥାଏ ଦେଉଥାଏ ଆଶୀର୍ବାଦ ।
ଦଧିଚି ଙ୍କ ପରି ଦେଇ ଦେଇ ପିତା ହାରେ ଆପଣା ଅସ୍ତିତ୍ଵ
ଶିବଙ୍କ ପରି ସେ ସବୁ ଦାନ ଦେଇ ପାଏ କେବଳ ପିତୃତ୍ବ ।
ପିତୃ ଋଣ ଭାରୁ ମୁକତି ଲଭିବ ସେ ଲାଗି ଏତେ ସାଧନ
ପୁତ୍ର ଯେବେ ପିତା ହୁଏ ପାଇଥାଏ ପିତୃତ୍ବ ର ସନ୍ଧାନ ।
