ପିତରି ପ୍ରିତିମାପର୍ଣ୍ଣେ
ପିତରି ପ୍ରିତିମାପର୍ଣ୍ଣେ
ପିତା ମାନେ ପିତା ପାଟିକୁ ସିନା ସେ ଶରୀରକୁ ବଡ ହିତା
ଜଗତ ପିତାଙ୍କୁ ପଛରେ ବନ୍ଦନା ବାପା ମୋ ଜଗତ ଜିତା।
ଅଳପ ବିଦ୍ୟାରେ ବହୁ ଉପଲବ୍ଧି ଦଧିଚି ସଂସାର ହିତେ
ପଳପଳ କରି ରକ୍ତ ମାଂସ ଦେଇ ସ୍ୱେଦ ନିଗାଡି ନିରତେ।
ସାରା ସଂସାରରେ ଜୁଝି ଜୁଝି ମୁହଁ ହାଡୁଆ ବିବର୍ଣ୍ଣ ଦିଶେ
ଆମେ ଭାବୁ ବାପା ଭାରି ରୁକ୍ଷ ମୁହଁ ପୁରି ଉଠେ ନାହିଁ ହସେ ।
ପ୍ରଛଦ ପଟର ନାୟକ ବାପା ମୋ ପରଦାର ଅନ୍ତରାଳେ
ଗୁରୁ ଦାୟିତ୍ୱ ସେ ନିର୍ବାହ କରନ୍ତି ସନ୍ତାନ ସୁଖ ସକଳେ ।
ପିତାର ସାଧନା ସନ୍ତାନ ନିଜଠୁ ଆଗକୁ ଯିବେ ଆଗେଇ
ପ୍ରତିଷ୍ଠା ସମ୍ମାନ ପୁତ୍ର ଲାଗି ପିତା ପାଇବେ ଆଶାଟି ଥାଇ ।
କ୍ରୋଧ ମୂର୍ତ୍ତି ତାଙ୍କ ସନ୍ତାନ କଲ୍ୟାଣ ଜ୍ୟାମିତିକ ପ୍ରଗତିରେ
ଶାସନ ଡୋରି ସେ ହାତେ ଧରିଥାନ୍ତି ନାରିକେଳ ଚରିତ୍ରରେ ।
ବାହାରଟା ସିନା ଟାଣ ଭିତରଟା କୋମଳ ସ୍ୱାଦିଷ୍ଟ ଅତି
ବାପା ଟାଣପଣ ଡରେ ଜଣକରେ ଗଣା ହୁଅନ୍ତି ସନ୍ତତି ।
ହିରଣ୍ୟକଶ୍ୟୁପ ପାଇଁ ପ୍ରହ୍ଲାଦ ପରମ ପଦ ଅରଜି
ବିଷ୍ଣୁଙ୍କ ସହ କେ ଲଢେଇ କରିବ ଆପଣା ଜୀବନ ତେଜି !
ଫଳ ଫଳେ ବୃକ୍ଷେ ନୂଆ ସୃଷ୍ଟି କରେ ନ ଲାଗେ ବୃକ୍ଷର କାମେ
ପୁତ୍ର ହେଲେ ପିତା ପିତୃତ୍ବ ସନ୍ଧାନ ମିଳେ ସିନା ଧରାଧାମେ।
ପିତା ଗୁରୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ
ପିତରି ପ୍ରିତିମାପର୍ଣ୍ଣେ ଦେବଗଣ ପ୍ରିୟନ୍ତି ଏ ବାକ୍ୟ ଆପ୍ତ ।
ପିତୃ ଦିବସରେ କବିତା ଲେଖୁଛି ନରାଧମ ପୁତ୍ର ଟିଏ
ତବ ପୁତ୍ର ପଣ ଜନ୍ମେ ଜନ୍ମେ ମିଳୁ ମାଗେ ଏହି ବରାଭୟ।
