ପିତୃ ଦିବସ
ପିତୃ ଦିବସ
ପିତୃ ଦିବସରେ ଘେନ ହେ ପ୍ରଣାମ
ଯେଉଁଠାରେ ପଛେ ଥାଅ
ଈଶ୍ୱରଙ୍କ ସହ ମନ ଆନନ୍ଦରେ
ଭାବ ଦିଆନିଆ ହୁଅ। ୧
ତୁମ ଅବଦାନେ ମୋହର ଜନମ
ପାଇକି ପାଣି ପବନ
ଜୀବନ ସୁଖରେ କଟୁଅଛି ବାପା
ଆଜି ଯା' ହୋଇଛି ଧନ୍ୟ।୨
ତୁମେ ନ ଥିଲେ ମୋ ଅସ୍ତିତ୍ବ ନ ଥାନ୍ତା
ଏହି ଏ ମରତ ପୁରେ
ଆଲୋକ ପବନ ପାଣି କି ମୃତ୍ତିକା
ପାଇ କି ଥାନ୍ତି ଅଚିରେ।୩
ତୁମେ ଦେଖାଇଲ ସଂସାର ସୌନ୍ଦର୍ଯ୍ୟ
ଅପରୂପ ଶୋଭାଚିତ୍ର
ମନ ଗହନରେ ଖେଳାଇଲ ଆହା
ମୋତେ କରିଦେଇ ମିତ୍ର।୪
ପୁଅ ହୋଇ ବାପା ଦେଇଅଛି ମୁହିଁ
ଅପଭାଷା ଅପକଥା
ତଥାପି କାହିଁକି ଦିନେ ହେଲେ ତୁମେ
ମୋତେ ଦେଇନାହିଁ ବ୍ୟଥା।୫
ସବୁକୁ ସହିଲ ହୃଦୟରେ ତୁମେ
ଜନମ କରିଛ ବୋଲି
ନିଜ ଲୁହ ପିଇ ଉପାସ ରହିଲ
ମୋତେ ହିଁ ଦେଇଛ ଖାଲି।୬
ସବୁ ପାଇକି ବି କିଛି ପାଇନାହିଁ
କହିଲି ତୁମକୁ ଯେବେ
ମନ ହୃଦୟରେ କି କଷ୍ଟ ପାଇଲ
ଖାଇଲନି ମୋଟେ କେବେ।୭
ଉପବାସ ରହି ସାତଦିନ ପରେ
ସରଗ ଧାମକୁ ଗଲ
ବୁଝି ପାରିଲିନି ନିଜର ଦୋଷକୁ
କରିନାହିଁ ମଧ୍ୟ ଗେଲ।୮
ଆଜି ଯେବେ ହୃଦେ ହୋଅସ ଆସିଲା
ତୁମେ ମୋର ପାଖେ ନାହିଁ
ହାଣ୍ଡିଆ ମହୁଲି ଗଞ୍ଜେଇ ନିଶାରେ
କହି ଦେଇଥିଲି ମୁହିଁ।୯
କ୍ଷମା ଦେବ ତୁମ ଅଧମ ପୁଅକୁ
କିଛି ତ ଦେଇନି ଦିନେ
ଆଞ୍ଜୁଳାଏ ଲୁହ କେବଳ ବାଢୁଛି
ପକେଇ କେବଳ ମନେ।୧୦
