ପିତୃ ଦିବସ
ପିତୃ ଦିବସ
ବାପା ବୋଲି ଯେଉଁ
ଦୁଇଟି ଅକ୍ଷର
ଜଗତେ ଅଟଇ ସାର
ମଧୁଠାରୁ ମିଠା
ତାଙ୍କ କଥାବାର୍ତ୍ତା
ସ୍ନେହର ସେ ଗନ୍ତାଘର
ଆକାଶ ଠାରୁ ବଳି
ବିଶାଳ ହୃଦୟ
ଫୁଲଠୁ କୋମଳ ମନ
ହୃଦୟ ଯାହାଙ୍କ
ଅନନ୍ତ ସାଗର
ଚରିତ୍ର ତାଙ୍କ ମହାନ
ତ୍ୟାଗ ଓ ସ୍ନେହର
ମୂର୍ତ୍ତିମନ୍ତ ରୂପ
ନୟନର ମୋର ଜ୍ୟୋତି
ପୁଅ ବୋଲି ପଦେ
ଡାକିଦେଲେ ସତେ
କୁଣ୍ଢେ ମୋଟେ ହୁଏ ଛାତି
ପିତା ମାତା ଆମ
ଚଳନ୍ତି ଠାକୁର
ସେ ଆମ ଭଗବାନ
ତାଙ୍କ ସେବା ଯତ୍ନ
କରି କରି ଆମେ
କଟାଇ ଦେବା ଜୀବନ
ତାଙ୍କରି ଆଦର୍ଶ
ତାଙ୍କରି ଶିକ୍ଷାରେ
ଚାଲୁଛି ସଂସାର ବାଟ
ତାଙ୍କରି ଆଶିଷ
ତାଙ୍କ ଉପଦେଶ
ଜୀବନର ମୂଳ ମନ୍ତ୍ର
ଚଉପାଶେ ଆମ
ମାୟାର ସାଗର
ସ୍ଵାର୍ଥର ପାହାଡ଼ ଠିଆ
ଚାଲୁଛି ଚାଲିବି
ତାଙ୍କରି ଆଦର୍ଶେ
ଆସୁ ଯେତେ ଘୃର୍ଣ୍ଣି ବାଆ
ବାପା ମୋର ସିଏ
ଆଶା ବିଶ୍ୱାସର
ବଡ଼ ଦେଉଳର ନେତ
ଢାଳି ଥାନ୍ତି ସଦା
ତାଙ୍କ ଶୁଭାଶିଷ
ତାଙ୍କ ପାଦେ ପ୍ରଣିପାତ
ପିତା ହିଁ ଧର୍ମ,
ପିତା ହିଁ ସ୍ବର୍ଗ
ପିତା ହିଁ ପରମ ତପ
ତ୍ୟାଗ, ମମତାର
ଜ୍ବଳନ୍ତ ଦେବତା
ପିତା ହିଁ ଜୀବନ ସତ୍ୟ ।
