ପିମ୍ପୁଡି
ପିମ୍ପୁଡି
ପିମ୍ପୁଡିଟିଏ ଚାଲୁଅଛି ଏଣେ ତେଣେ
ଧୂଳି ସରସର ମାଟିରେ
ବେଳେବେଳେ ଚାଲୁ ଚାଲୁ ପଡିଯାଇ
ନୀରବରେ ଗୁମ୍ ମାରି ବସିପଡୁଛି ମାଟି ପରେ ।
ଭଗବାନ ଦେଇଥିଲେ ସେତେବେଳେ
ତା ହାତେ ଖାଲି କ୍ଲାନ୍ତି ଆଉ ଅବଶୋଷ
ମୁଣ୍ଡପାତି ସେ ଆଣିଥିଲା ବୋହି
ମୃତ୍ୟୁକୁ ପାଥେୟ କରି
ବୋଧହୁଏ ଏ ସବୁଜିମା ପୃଥିବୀକୁ ।
ନିଆଁ ଝୁଲଟିଏ ହୋଇ ଜଳୁଛି ତାର ଦେହ
ଜଳି ପୋଡିବାକୁ ତ ଜନ୍ମ ତାର
ଆଖିରୁ ଝରି ପଡୁଛି ବିମ୍ଵିସାରର ଉତ୍ତପ୍ତ ଲୁହର ଧାର ।
ଯନ୍ତ୍ରଣାର କାରାଗାରୁ ବନ୍ଦୀ ହୋଇ ଚାହିଁଛ
ସେ ଫମ୍ପା ଆକାଶକୁ
ଆଖି ତାର ପାଉନି ବିଶାଳ ଶୂନ୍ୟତାରେ
ବେକ ତାର ଫାଟି ପଡୁଛି ।
ଶତ ଶତ ଅଜାତଶତ୍ରୁମାନେ
ତାକୁ ଖୁନ କଲା ପରେ ବି
ସେ ଆହୁରି କଅଁଳିବାକୁ ଲାଗୁଛି
ଛନ ଛନ ଦୁବଘାସ ପରି ।
ଲକ୍ଷ୍ମଣର ଗାର ଡେଇଁ କାହିଁକି ବା ଚାଲିଛି ସେ
ସେପଟେ ଯେ ଦଶାନନର
ସ୍ମିତ ହାସ୍ୟ କଣ ତାକୁ ଶୁଭୁନାହିଁ ?
ବିଧବା ହେଲା ପରେ ବି ସେ
ସନ୍ଧ୍ୟାରେ କାହିଁକି ଶୁଭ ମନାଷୁଛି
କାହା ପାଇଁ ବୃନ୍ଦାବତୀ ପାଶେ
ସଞ୍ଜ ପକାଉଛି ଏବେ ବି
ଏକ ନବ କୂଳବଧୂବେଶରେ ନିଜକୁ ସଜାଇ ।
ଭୁଲି ଯାଇଛି ସେ କଣ ତାର ଜନ୍ମ ବୃତ୍ତାନ୍ତକୁ
କ୍ଷଣିକ ମିଠା ସ୍ଵପ୍ନର ଆମନ୍ତ୍ରଣେ ।
ଯନ୍ତ୍ରଣା ଯେଉଁଠି ତାର କେନ୍ଦ୍ରବିନ୍ଦୁ
କ୍ଲାନ୍ତି ଯେଉଁଠି ତାର ଅକ୍ଷପଥ
ଘୂରିବାକୁ ପଡିବ ତ ତାକୁ
ପୃଥିବୀର ଏ କୋଣରୁ ସେ କୋଣ
ଏ ତ ତା ପାଇଁ ଚିରନ୍ତନ ସତ୍ୟ ।