ପିଲାଦିନର ଗାଁ
ପିଲାଦିନର ଗାଁ
ମନେ ପଡେ ଆଜି ସେଇ
କାଗଜର ନାଆଁ
ମିଠା ବରକୋଳି ଆଉ
ଛୋଟ ମୋର ଗାଁ ।
ନଈକୂଳେ ଆମ୍ବଗଛ
ଆଜି ବି ଖୋଜୁଛି
ପୁଣି ଥରେ ପିଲା ବେଳ
ପାଖକୁ ଡାକୁଛି ।
ସାଙ୍ଗ ମେଳ ତା ମୂଳରେ
କେତେ ଯେ ଖେଳିଛି
ଛାଇଁ ତଳେ ଅନାବନା
ଛବି ମୁଁ ଆଙ୍କିଛି ।
କେତେ ମାନ ଅଭିମାନ
କେତେ ରାଗ ଋଷା
ସଞ୍ଜ କୋଟି ସକାଳକୁ
ପୁଣି ମିଳାମିଶା ।
ଦୀପାବଳି ଦଶହରା
ହୋଲି ରଜ ଦୋଳି
କାଲି ପରି ଲାଗେ ସବୁ
ହୁଏ ନାହିଁ ଭୁଲି ।
ମା'ର ସେ ହାତରନ୍ଧା
ଶାଗ ଓ ପଖାଳ
ଆଜି ବି ମୋ ଦେହ ସାରା
ଯୋଗାଉଛି ବଳ ।
ସମୟର ନଈ ସିନା
ଭସେଇ ନେଇଛି
ହେଲେ ସ୍ମୃତି ସବୁ ଦୀପ ହୋଇ
ହୃଦୟେ ଜଳୁଛି ।
ଆଜି ଯେବେ ରାତି ହୁଏ
ଜହ୍ନ କୁ ପଚାରେ
ପିଲାବେଳ ସାଙ୍ଗସାଥୀ
କହ କେତେ ଦୂରେ ।
ଅତୀତର ସ୍ମୃତି ସବୁ
ଯେବେ ବି ତରଳେ
ଆଖି ବାଟେ ଲୁହ ହୋଇ
କାହିଁକି ଉଛୁଳେ ।
