ଶୀତ
ଶୀତ
1 min
3
କାକର ଟୋପାଏ ଫୁଲ ପାଖୁଡ଼ାରେ
ଆଖିକୁ ଲାଗଇ ହୀରା
ଏମିତି ଶୀତରେ ଜାନୁଆରୀ ଆସି
ଆର ବାଟେ ଦେଲେ ଧରା ।
ଗେଣ୍ଡୁଫୁଲ ମାସ ପଣ୍ଡୁ ପୂନେଇଁରେ
ଫେରିବାକୁ ବାଟ ଖୋଜେ
କେଉଁ ଦେଉଳରେ କୂଆଁରା ହେମନ୍ତ
କଳା ପଥରକୁ ପୂଜେ ।
ବନ ଝରଣାର ଗାଉଣା ସରୁନି
ଦିନ ଛୋଟ ହୁଏ ଜାଣ
ଶୀତଳ ସେଜରେ ବାକି କଥା କହି
ରାତିରେ ଖାଉଛି ରାଣ ।
ଖତରା କ୍ଷେତର ନିଗିଢା ନଈର
ପାଣି ବହେ ଧାରେ ଗଙ୍ଗା
ଦୂର ଦରିଆର ଦୀପକୁ ଛୁଇଁବ
କାର୍ତ୍ତିକ ଶେଷରେ ଡଙ୍ଗା ।
ସାବନୀ ବୋହୂଟି ସରୁ ଆଙ୍ଗୁଳିରେ
ଆଙ୍କିଲା ପଦୁଅଁ ପାଦ
ଶିରି ପବନର ପାହାନ୍ତି ପହରୁ
ଶୁଭେ ହୁଳହୁଳି ଶବ୍ଦ ।
ରାତି ରହିଯାଏ କଜଳ କଳାରେ
ସୁନେଲି ଘାସର ସଞ୍ଜ
କୁହୁଡି ଚାଦର ଆଉଜା ସକାଳ
ଦିନରେ ଚମକେ କୁଞ୍ଜ ।।
