ପିଲାଦିନ
ପିଲାଦିନ
ଏବେ ବହୁତ ଚେଷ୍ଟା କରି
ଫେରିପାରେନି ପିଲାଦିନ ଆଡ଼େ ।
ଖାଇସାରି ହାତ ପୋଛିପାରେନି
ବୋଉ କାନିରେ ,
ବାପାଙ୍କ ଗାଳି ବି ହେଲାଣି
ସାତ ସପନ ।
ଆଉ ନାହିଁ
ପାଠ ପଢ଼୍ ପାଠ ପଢ଼୍ ବୋଲି
ବଡ଼ଭାଇଙ୍କ ଆକଟ ।
ନାନୀ ବି ଝଗଡ଼ା କରେନି ଆଉ
କଷିଦିଏନି ମୋ ପିଠିରେ ଦି' ଟା
ଦୁଲ୍ ଦାଲ୍ କରି ।
ଉଦୁଉଦିଆ ଖରାବେଳେ
ମୋ ଝରକାରେ ଆଉ ଶୁଭେନି
ସାଙ୍ଗମାନଙ୍କ ଡାକ ,
ଚାଲ୍ ଯିବା ବଲ୍ ବ୍ୟାଟ୍ ଖେଳିବାକୁ ।
କେହିଜଣେ ମଡ଼େଇଦିଏନି
ମୋ ଫୁଙ୍ଗୁଳା ବହିରେ ମଲାଟ ,
ଲୁଚେଇକି ଦେଇଯାଏନି
କୋଳିଟିଏ , ଆମ୍ବଟିଏ
ମୋ ବୁଢ଼ୀ ମା ଭୟରେ ।
ବୁଢ଼ୀ ବି କୁହେନି ଆଉ
ଝିଅମାନଙ୍କ ସହ
କ'ଣ ଗୋଟେ ସାଙ୍ଗ ଯେ !
ତାଙ୍କ ସହ ମିଶିଲେ
ଚୁଟି କାଳେ ପାଚିଯାଏ ବୋଲି ।
ଯଦି କେବେ
ପଛ କରିପାରନ୍ତି ସମୟକୁ
ଖୋଜନ୍ତି ,
ତେଲ ଚିକିଟା କାନ୍ଥରେ
ଚକ୍ ଖଡ଼ିରେ ଆଙ୍କିଥିବା ସେଇ ଚିତ୍ର
ଦୁଇ ପାହାଡ଼ ମଝିରେ
ବୁଡ଼ି ଯାଉଥିବା ସୂର୍ଯ୍ୟ ,
ଉପରେ କେଇଯୋଡ଼ା ପକ୍ଷୀ ,
ତଳେ ବହେ ନଈଟିଏ ,
ବେଶ୍ ନଇଁ ଯାଇଥାନ୍ତି
ନଡ଼ିଆ ଗଛ କେତୋଟି ।
ଦେଖନ୍ତି ,
କେତେ ବଡ଼ ହେଲାଣି
ସେ ମୟୂର ଚନ୍ଦ୍ରିକା
ଯାହାକୁ ପାଳିଥିଲି
ଅରୁଆଚାଉଳ ଦେଇ ରଫଖାତାରେ।
ପାହାଚ ପାହାଚ ଉଠି
ଖୁବ୍ ଦୂର ହୋଇଯାଇଥିବେ
ଖଜୁରୀପତ୍ରର ଗଣ୍ଠି ସବୁ ,
ଯିଏ ସବୁ ବନ୍ଧାହୋଇଥିଲେ
ସାର୍ ଙ୍କ ମାଡ଼ ଭୟରେ ।
ଫେରିଯା'ନ୍ତି କି !
ଗାଁ ଦାଣ୍ଡ ଖେଳ ,
ପୋଖରୀ ଗାଧୁଆ ,
ଗଣେଶ ପୂଜା ଭୋଜି ,
ମହାନ୍ତି ଘର ବାଡ଼ିରୁ ଆମ୍ବଚୋରି
ଆଉ ସାଙ୍ଗମାନଙ୍କ ସହିତ କଳି ।
କିନ୍ତୁ ପାରେନି ।
ଏବେ ତ
ହାତ ଧରାଧରି ହୋଇଚାଲିଛନ୍ତି
ସମୟ ଓ ଜୀବନ
କେହି ଜଣେ ଛାଡ଼ିପାରେନି ହାତ
ଅଟକିଯିବା ସମୟ
ଅଟକିଯିବା ଜୀବନ
ଦୁଇ ସମାନ କଥା ।
ଏବେ ବହୁତ ଚେଷ୍ଟା କରି ବି
ଫେରିପାରେନି ପିଲାଦିନ ଆଡ଼େ ।
