ପିଲା ଦିନ
ପିଲା ଦିନ
କଅଁଳ ଖରା ଦୌଡୁଥିଲା
କଅଁଳା ବାଛୁରୀ ପରି
ପେଏଁ ଗାଡି ଶବ୍ଦ ତାକୁ ଉସ୍କଉଥିଲେ
ସେ ଗାଡି ସହ ପ୍ରତିଯୋଗିତା କରୁଥିଲା
ଢିଲାପେଣ୍ଟ ଗଳି ପଡୁଥିଲା
ଟାୟାର ଗଡ଼ାରେ
ରାସ୍ତା କଳା ରେ ଗାଧୋଉଥିଲା
ମୋହରମ ନାଲି ପ୍ରେମ ଫାଶୁ
ପେଣ୍ଟ ଗଳି ପଡୁଥିଲା ତଳକୁ
ସାଙ୍ଗ ମାନେ ହସୁଥିଲେ ତାଳି ମାରି
ବୋହୁ ପଡୁଥିବା ସିଙ୍ଘାଣିକୁ ଚାଟି ଦେଉଥିଲା ଜିଭ
ବୋଉ କୋଳ ଓ ଚୁମା ପ୍ରତିକ୍ଷଣେ ଚାହିଁବା
କାନ୍ଦ ଅମୋଘ ଅସ୍ତ୍ରରେ ସୃଷ୍ଟି ଜୟ କରିବା ବୟସ।
ସିନି,ସୁଧା,ବୀଣା,କଇଁ,ଇଭା
ବାବୁ ,ରାଜା,ଗୁନୁ ଏମିତି କେତେ ସାଙ୍ଗ ଥିଲେ ମୋର
ଧୂଳି ଘର,ଚୁଲି,ଭାତ ତରକାରୀ ଖେଳେ
କଙ୍କି ପଛେ ଛୁପି ଛୁପି ଯିବା
ବାଳ ହାତେ ସୁନୁ ପାମ୍ପୁଡି ଖାଇବା
ସାଙ୍ଗ କେବଳ ସାଙ୍ଗ ସେ ରିଟା ହେଉ କି ଋଷି
ପ୍ରଜାପତିକୁ ଚାହିଁ ବିଭୋର ହେବା
ଚଢେଇ କେମିତି ଉଡୁଛି
ମୁଁ ସେମିତି ଉଡନ୍ତି ସ୍ବପ୍ନ ମୁଠାଇ
ଜହ୍ନ ସହ ଗାଁ ଦାଣ୍ଡେ ଗୋଡ଼ାଇବା
ପୋଖରୀରେ ଜହ୍ନ!
ଆମ ଘର ଛାତ ଉପରେ ବି
କୋମଳ ଜିଜ୍ଞାସା
ସହସ୍ର ପ୍ରଶ୍ନ ପଚାରି ଅତିଷ୍ଠ କରିବା।
ନୂଆ ସାଇକେଲ୍ ଯେଉଁ ଦିନ
ମୋତେ ଆଖି ମାଇଲେ
ଓଃ କି ଆବେଗ,ଚମତ୍କାର ଆନନ୍ଦ
ପୋଖରୀ ତୁଠରେ ବସି ବାପାଙ୍କ ଜାଲରୁ
ମାଛ ଗୋଡେଇବା
ସିଙ୍ଗି ବିନ୍ଧିଦେଲେ ଭେଁ କି କାନ୍ଦିବା
ବଡ଼ଙ୍କ ଚପଲ ଗୋଡ଼ରେ ପୁରେଇ ଫଟ୍ ଫଟ୍
ଶବ୍ଦ ଶୁଣି କୁରୁଳି ଉଠିବା
ବଡ଼ ହେବାକୁ ଝୁଙ୍କ
ବାପାଙ୍କ ପରି ହେବାକୁ ଇଛାର ପକ୍ଷୀ ଡେଣା
ଲଗେଇ ଛୁଏଁ କେଉଁ ଆକାଶ।
ଟିକିଏରେ ଖୁସି ହେବା
ଜହ୍ନକୁ ପ୍ରଶ୍ନ ପଚାରିବା
ବୋଉକୁ ଛାଡି କ୍ଷଣେ ନ ରହିବା
କୁନ୍ଥୁ କୁନ୍ଥୁ ହୋଇ ସ୍କୁଲ ଯିବା
ଚୁଟି ଧରାଧରି ହୋଇ ମାଡ଼ ଗୋଳ ହେବା
ପର କ୍ଷଣେ ମିଶିଯିବା
ଆମ୍ବ ଝରି,ଆମୂଳ ଟାକରା ଫୁଟା
କଇଁଆଁ ପଣା ସୁଡୁ ସୁଡୁ କରି ହାପୁଡିବା
ସ୍କୁଲ ଛୁଟି ବେଲ୍ ଶୁଣି ହୋ କି ହୋଇ
ଘରକୁ ଏକାମୁହାଁ ହୋଇ ଦୌଡ଼ିବା
ନୀତାନୀ ଚିଠି ପକେଟରେ ଲୁଚେଇ
ଆଦି ଭାଇକୁ ଦେବା
ଚକୋଲେଟ୍ ହାତେଇବା
ବୋଉକୁ କହିଦେବି କହି ଦୌଡ଼ିବା
ନିତାନୀକୁ ବ୍ଲାକମେଲିଙ୍ଗ କରିବା
ଡେ ପାଞ୍ଚ ଟଙ୍କା ନଲେ ବୋଉ...
କହିଲା ବେଳକୁ ପାଞ୍ଚ ଟଙ୍କା ମୋ ହାତରେ।
ନିତାନୀ ବାହା ହୋଇଗଲା
ଆଲୋକ ଭାଇଙ୍କୁ
ଯେଉଁଦିନ ବାପା ହାତେ ମୋ ପକେଟରୁ ଚିଠି
ଚାରିଭାଙ୍ଗ ହୋଇ ବାହାରିଲା
ମୋ ନିତାନୀ ଭାରି କାନ୍ଦିଲା।
ମୋ ନିଶ ଉଠିଲା
ବଡ଼ ସାର୍ଟ,ବଡ଼ ଚପଲ ମୋ ଗୋଡ଼କୁ ହେଲା
ବାଇକି କିନ୍ତୁ ସେଇ ସାଇକେଲ୍ ସୁଖ ଦିଏନି
ମୁଁ ଖୋଜେ ଆକୁଳେ
ସେଇ ସିଙ୍ଘାଣି ବୁହା ଲଂଗଳା ପିଲାଟାକୁ
ନିତି ଜହ୍ନ କର ଲେଉଟାଏ ଯେବେ
ମୋ ବୟସ ଅୟସ ଛାତିରେ
ଭାରି ମନ ପଡେ କଅଁଳ ଖରାର ଧାସ
ଧୁ ଧୁ ମଧ୍ୟାହ୍ନରେ।