ଫାଙ୍କା ପଡ଼ିଥିବା ବହିଥାକ
ଫାଙ୍କା ପଡ଼ିଥିବା ବହିଥାକ
ଆକୋଠରୀ ବିସ୍ତାରି
ଗାଢ଼ ଅନ୍ଧକାର ସ୍ନହିତ
ନୀରବତା ଓ ନିଃସଙ୍ଗତା
ବେସ୍ ସମନ୍ୱୟ ରକ୍ଷା କରୁଥାଏ
ମୋ ହୃତପିଣ୍ଡର ସ୍ପନ୍ଦନ ବଢ଼ାଇବା ଦିଗରେ ।।
ଏଯାଏଁ ମୋ ଆଖିକୁ ନିଦ ନାହିଁ
ବିଦେଶୀ ସୌଦାଗର ପରି
ମୋ ଆଖିର ନିଦ
ତେର ନଈ ସାତ ଦରିଆ ଡେଇଁ
ବୋଧେ ଫେରିଯାଇଛି ତା' ଆପଣା ସ୍ଥାନକୁ ।।
ଏପଟେ କିନ୍ତୁ,
ରାତିର ବୟସ,
ଘଣ୍ଟାର ସେକେଣ୍ଡ କଣ୍ଟା ସହ
ତାଳ ଦେଇ ଅଗ୍ରସର
ନିଜର ଅନ୍ତ ଦିଗରେ
କିନ୍ତୁ ଏଯାଏଁ ନିଦ ନାହିଁ,
ମୋ ସ୍ୱପ୍ନିଳ ଆଖିରେ ।।
ଏ କ'ଣ !
କାହାର ଏ କ୍ରନ୍ଦନର ସ୍ୱର
କେହି ତ ନାହଁ କେଉଁ ଆଡ଼େ
ପୁଣି କେମିତି ଏ ସ୍ୱର ଚାରିଆଡ଼େ !
ବିଜୁଳି ଆଲୋକର ଉପସ୍ଥିତ କ୍ଷଣି
କୋଠରୀର ସବୁ ଅନ୍ଧକାର
କାଉଁରୀ ମନ୍ତ୍ର ପାଇଲା ପରି
ନିମିଷକ ମାତ୍ରେ ଉଭାନ୍ ।।
କେତୋଟି ଝିଟିପିଟି ନିଜକୁ
ଲୁଚେଇବାର ପ୍ରୟାସରେ
ବୁଢ଼ିଆଣିର ଜାଲରେ ଛନ୍ଦି ହୋଇ ସାରିଥିଲେ
ଆଉ କିଛି
ଆତ୍ମଗୋପନ ପାଇଁ ସାଧନ ଖୋଜୁଥିଲେ ।।
ବିଜୁଳି ଆଲୋକରେ କରିଲି
କ୍ରନ୍ଦନ ସ୍ୱରର ଅନ୍ୱେଷଣେ
ଯାହା ପାଇଲି ସେଥିରେ
ବିସ୍ଫାରିତ ହେଲା ମୋ ନୟନ
ସ୍ୱର ନୁହଁଇ କାହାର କ୍ରନ୍ଦନ
ଏ ତ!
ଫାଙ୍କା ପଡ଼ିଥିବା ବହିଥାକ ଓ
ପେକିଙ୍ଗ୍ ହୋଇଥିବା ବହି ମଧ୍ୟରେ
ଅନ୍ତିମ ସମୟରେ କଥୋପକଥନ ।।
ବହିଥାକର ପ୍ରତ୍ୟେକଟି ଥାକରେ ଏବେ
ସମୟର ଶକ୍ତ ନିଷ୍ଠୁରତା
ସମ୍ପର୍କର ସ୍ନେହାଶୀଳ ନୀବିଡ଼ତା
ଅନ୍ତରର ଅଦୃଶ୍ୟ ବ୍ୟାକୁଳତା
ହୃଦୟର ଅଶାନ୍ତ ଅଧିରତା
ଆବେଗର ଅସ୍ପଷ୍ଟ ଆଚ୍ଛନ୍ନତା
ମାନସିକ ସନ୍ତୁଳନର ଅସ୍ଥିରତା
ଆଉ ଭବିଷ୍ୟତର କିଛି ଶୂନ୍ୟତା
ଘର କରି ସାରିଲେଣି ।
ପେକିଙ୍ଗ୍ ହୋଇଥିବା ପ୍ୟାକେଟ୍ ରେ
ଜୀବନର ସ୍ୱପ୍ନ ଓ ବାସ୍ତବତା
ଉଚ୍ଚାଭିଳାଶାର ନଭଶ୍ଚୁମ୍ଭି ଅଟ୍ଟାଳିକା
ଅହଙ୍କାରୀ ସାମ୍ରାଜ୍ୟର ସଂକୀର୍ଣ୍ଣତା
ମିଥ୍ୟା ଆତ୍ମ-ସ୍ୱାଭିମାନର ପ୍ରାଚୁର୍ଯ୍ୟତା
ସମୟରେ ଉଚିତ୍ ଓ ଅଣଦେଖା ସତ୍ୟତା
ସହିତ
ଜୀବନର ସ୍ୱପ୍ନ ଓ ବାସ୍ତବତା
କେବେଠୁ ସାଇତା ହୋଇସାରିଲାଣି ।।
ପ୍ରବଞ୍ଚନାର ସୀମାବଦ୍ଧତା ମଧ୍ୟରେ
ଅନେକ ଚରିତ୍ରରେ ଅଭିନୟ ସାରି
ଏବେ ଯିଏ ଯାହା ସ୍ଥାନରେ
ଆଉ ମୁଁ ! ହଁ ମୁଁ !
ମୋ ନିଃସଙ୍ଗତାର ଉପତ୍ୟକାର ଶୀର୍ଷରେ ।।
