ପେଟର ଜ୍ବାଳା
ପେଟର ଜ୍ବାଳା
ଡହଡହ ଖରାର ତାତିରେ
କିଏ ତୁ
କାହିଁକି ଛିଡା ହୋଇଛୁ
ମୁର୍ମୁଷ ନୟନେ
କାହାକୁ ତୁ
ରହିଅଛୁ ଚାହିଁ,
ହାତର ଇଙ୍ଗିତେ
କହିବାକୁ ଚାହୁଁ କଣ
ମନତଳେ ଅସହ୍ଯ ବେଦନା
କଙ୍କାଳସାର ଶରୀରରେ
କାହିଁକି ତୁ ହୋଇଅଛୁ ଠିଆ ।
ପେଟର ଜ୍ବାଳାରେ
ଜର୍ଜରିତ ବାଳୁତ ବୟସ
କିବା ତାର ଅପରାଧ
ପାଉନାହିଁ ଆହାର ସେ
ରୋକିବାକୁ ପେଟର ଜ୍ବାଳାକୁ
ଡହଡହ ଗ୍ରୀଷମ ତାତିକୁ
ନକରି ଖାତିର ସିଏ
ରାସ୍ତା ଉପରେ ବୁଲିବୁଲି
ମାଗୁଥାଏ ଭିକ୍ଷା ।
ଶୀତତାପ ନିୟନ୍ତ୍ରିତ
ଗାଡିର ଭିତରେ
ବସି ଉପଭୋଗ କରନ୍ତି
ବଡଲୋକି ହେବାର ଫାଇଦା
ଘୃଣା କରି ଦୂରେଇ ସେ
ଦେଉଥାନ୍ତି ତାକୁ
ବାରବାର ଆସିଯାଏ
କହୁଥାଏ ରହିରହି
"ବାବୁ ଖାଇନାହିଁ କିଛି
ଦୁଇଦିନ ହେଲା
ବାବୁ ବାବୁ ବାବୁ
ଘୃଣିତ ନୟନେ
ଚାଲିଯାନ୍ତି କରିଅବହେଳା ।
ବିହିର ସୃଷ୍ଟି ସର୍ବେ
ରକ୍ତ ,ମାଂସ,ମଜ୍ଜା ସମିଶ୍ରଣେ
ଗଢା ଏହି ତ ଶରୀର
କିମ୍ପା ତେବେ
କରୁଅଛ ଘୃଣା
କାହାର ଦାୟାଦ ସିଏ
କାହା ନୟନ ପିତୁଳା
ଭାଗ୍ଯ ବିଡମ୍ବନେ ମାଗେ
ତୁମକୁ ତ ଭିକ୍ଷା
ନ ଆସୁ ସେ ସମୟ
ଯେତେବେଳେ
ତା ଦେହ ରକ୍ତ
ବଞ୍ଚାଇବ ପ୍ରାଣକୁ ତୁମର
ବଡଲୋକି ଧମନୀରେ
ମିଶିଯିବ ଗରିବର ରକ୍ତ ।
ସଭିଏଁ ସମାନ ଏଠି
ଗଢିଛି ତ ବିହି
ଦେଇଦିଅ ପେଟକୁ ଆହାର
ଖୁସିରେ
ଝରିଯିବ ତା ଅଧରରୁ
ଆତ୍ମତୃପ୍ତିର ହସ
ଆଖିରୁ ତା ବୋହିବନି
ଲୁହ ଅବିଶ୍ରାନ୍ତ।
