ପଦ୍ମପାଦ
ପଦ୍ମପାଦ
ନାହିଁ ପାଦ ପାଣି ପ୍ରଭୁ କମ୍ଭୁପାଣି
ବ୍ରହ୍ମାଣ୍ଡ ବିହାର କରୁଛ
ଚକାନେତ୍ରେ ଦେଖି ଦୁଃଖୀ ଜନ ଦୁଃଖ
ନୀରବ କାହିଁକି ରହିଛ ?
ଭୂ-ଲୋକଠାରୁ ବ୍ରହ୍ମ ଲୋକଯାଏ
ଚରାଚର ବିଶ୍ୱ ଗଢିଛ
ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ଉପଗ୍ରହ
ଜ୍ୟୋତିଷ୍ମାନ ତୁମେ କରିଛ ।
ଗିରି ବନ ନଦୀ ପାହାଡ଼ ପ୍ରାନ୍ତର
ମିଠା ଝର ଜଳ ବାହୁଛ
ପ୍ରଜାପତି ଦେହେ ନାନାରଙ୍ଗ ମାଖୀ
ଫୁଲରେ ମହକ ଭରିଛ ।
ତୁମ ଅଗୋଚରେ ପତ୍ର କିବା ଝଡେ
ବହେ କିବା ଝଞ୍ଜା ମରୁତ
ତୁମଠୁଁ ଉନ୍ମେଷ ତୁମଠାରେ ଶେଷ
ଜୀବନର ସୃଷ୍ଟି ଚରିତ ।
ସମୟ ସାଂକୋଳି ପିନ୍ଧି ଇଚ୍ଛାମତେ
ମନ୍ଦିର କବାଟ କିଳିଛ
ବସିଛ ଏକାନ୍ତେ ନିର୍ବିକାର ଚିତ୍ତେ
ଭକତକୁ ଆଡ଼ କରିଛ ।
ଲୋତକ ନିଗାଡି ଭକ୍ତ ଛାଡେ ରଡି
ନଶୁଣିଲା ପରି ହେଉଛ
ଦୋଷପାଇଁ ତାକୁ ଦିଅ ଥରେ କ୍ଷମା
କ୍ଷମାନିଧି ନାମ ବହିଛ ।
କରୁଣାରୁ ଉଣା ନକର ମଣିମା
ବିଶ୍ୱ ପ୍ରାଣ ଆଜି କାନ୍ଦୁଛି
ବ୍ୟାଧି ବିଭୀଷିକା ପ୍ରକୃତି ପ୍ରକୋପେ
ଅହ ରହ ସିଏ ଜଳୁଛି ।
ମାନ ଅଭିମାନ ତେଜି ଜନାର୍ଦ୍ଦନ
ଗରୀଵ ଗୁହାରୀ ଶୁଣିବ
ଭାଙ୍ଗି ମୌନ ବ୍ରତ ଆହେ ପଦ୍ମପାଦ
ଶ୍ରୀମନ୍ଦିର ଟିକେ ଖୋଲିବ ।