ପଦ୍ମ
ପଦ୍ମ
ତୁମେ କେମିତିକା ପ୍ରେମିକା
ଜରଜର ହେଉଥାଅ ଦିନ ତମାମ
ଡହଡ଼ହ ଖରାକୁ ବି ଖାତିର ନ ଥାଏ
ପ୍ରେମରେ ପ୍ରେମରେ ସଦା ଡହଳ ବିକଳ।
କିଏ ଶିଖାଇଲା ପ୍ରେମ ମୁରୁଜକୁ
ସତ୍ୟ ଶାନ୍ତି ଆଉ ପବିତ୍ରତା
ହୃଦେ ଥୋଇବାକୁ
ଛଳଛଳ କଳକଳ ଆଉ ଢଳଢଳ
ଆକୁଳତା ଆଉ ବ୍ୟାକୁଳତାରେ।
ମୁଁ ବହୁତ ଚେଷ୍ଟା କରି ଆସିଛି
ଖାସ ତୁମ ପରି ହେବାକୁ
ତୁମର ଭାବ ଆଉ ଭାଷାକୁ ବୁଝି
ଅପେକ୍ଷା କରିଛି ପାଇବାକୁ
ଉଚ୍ଛୁଳାଇ ଦେଇଛି ରସର ପସରା।
କୋଟି ବିଶ୍ବରେ ତୁମ ପରି
ଆଉ କିଏ ହେବ କୁହ?
ଖୋଜି ପାଇବା ମୁସ୍କିଲ ଏ ଧରା ଧାମରେ।
ତୁମର ପ୍ରେମିକ ବି ଭାରି ଭଲ
ସକାଳ ନ ପାହୁଣୁ ତୁମ ପ୍ରତି ଆକର୍ଷିତ
ପ୍ରେମର ମୁରୁଜ ବୁଣି ଚହଟାଇଥାନ୍ତି
ଭୁରୁଭୁରୁ ଦେବାକୁ ସନ୍ଦେଶ।
ଏଠି ପାଦେ ପାଦେ ଘୃଣା
ଭଲ ପାଇବା ନାମରେ ଧର୍ଷଣ ଆଉ ଶୋଷଣ
ପ୍ରତିକ୍ଷଣ ନେବାରେ ମସଗୁଲ
ପ୍ରେମରେ ପ୍ରେମରେ ଭାସିବା
ସାତ ସ୍ୱପ୍ନ ହେଲାଣି
ଯିଏ ବିଶ୍ୱାସ କରିଛି
ନିତି ମରି ବଞ୍ଚିବା ହେଉଛି।
ହେ ପଦ୍ମ !
ତୁମକୁ କୋଟିଏ ପ୍ରଣାମ
ତୁମ ପ୍ରେମ ଅଖଣ୍ଡ ରହୁ
ଏ ଭବ ସଂସାରେ
ଅନାବିଳ ସମ୍ପର୍କ ହେ ପଦ୍ମ-ସୂର୍ଯ୍ୟ
ସେଥିପାଇଁ ବୋଧହୁଏ
ମରିମରି ବଞ୍ଚି ରହୁଅଛ ଯୁଗରୁ ଯୁଗକୁ।
