ପବିତ୍ର ମୋ ବିଦ୍ୟା ମନ୍ଦିର
ପବିତ୍ର ମୋ ବିଦ୍ୟା ମନ୍ଦିର
ବିଦ୍ଯାର ମନ୍ଦିର ଅଟେ ବିଦ୍ୟାଳୟ
ବିଦ୍ୟାଦାତା ମୋର ଗୁରୁ
ସାଙ୍ଗ ସାଥି ମୋର ପ୍ରାଣଠୁ ନିଜର
ପ୍ରିତୀର ଚନ୍ଦନ ତରୁ ।
ସ୍ମୃତିରେ ସାଇତା ପିଲାଦିନ ପଢା
ବିଦ୍ୟାଳୟ ଖେଳା ବୁଲା
କଥା କଟାକଟି ମାନ ଅଭିମାନ
ଆଖି ଲୁହ ମୁହଁ ଫୁଲା।
ଆଗ ବେଞ୍ଚରେ ବସିବା ପାଇଁକି
କେତେ ଧରାପରା ସତେ
ମା ହାତ ତିଆରି ସୁଜିର ହାଲୁଆ
ସାଥେ ଖାଉଁ ଆମେ କେତେ ।
ବାଡି ବରକୋଳି ପିଜୁଳି କମଳା
କେତେଯେ ଭଳିକି ଭଳି
ଖେଳଛୁଟି ବେଳେ ପ୍ରିୟ ସାଥୀ ମେଳେ
ବାଣ୍ଟିକରି ଖାଉଁ ମେଳି ।
ଗଣିତ କ୍ଲାସ୍ ରେ ସାର୍ ଯେ ପଢାନ୍ତି
କାଠର କମ୍ପାସ ଆଣି
ଭାରି ମଜା ଲାଗେ ଆଙ୍କେ ମୁଁ ସେଥିରେ
କଳାପଟେ ଗାର ଟାଣି ।
ଦିଦିଙ୍କ କଣ୍ଠର କବିତାର ସ୍ବର
ଝଂକୃତ ହୁଏ ଆଜି
କୁଆଡେ ହଜିଲା ସ୍ମୃତିଝରା ଦିନ
ଆଉ ପାଇବିନି ଖୋଜି ।
ସାର୍ ଦେଇଥାନ୍ତି ପନିସମେଣ୍ଟରେ
ଦିନେ ନ ଆସିଲେ କେହି
ପଛ ବେଞ୍ଚରେ ବସିବାଟା ପକ୍କା
ରହନ୍ତିନି ସେଥିପାଇଁ ।
ବିଦ୍ଯାଳୟ ସ୍ମୃତି ସବୁଠୁ ନିଆରା
ସେତ ମୋର ପ୍ରିୟ ଭୂଇଁ
ଅଭୂଲା ମୁହୂର୍ତ୍ତ ମନେ ପଡିଗଲେ
ଲୁହ ଯେ ଆସେ ଜକେଇ ।
ମୋ ସଂସ୍କାର ମୂଳଦୁଆ ଥାପିଥିଲା
ସେଇ ମୋର ବିଦ୍ୟାଳୟ
ଭଲ ପାଇବାର ମହାମନ୍ତ୍ର ଦେଲା
ଜୀବନେ ଭରିଲା ଲୟ ।
ଅମୂଲ୍ୟ ସଂପର୍କ ଡୋରି ସେ ଟାଣିଛି
କେବେବି ଛିଣ୍ଡିବ ନାହିଁ
ମୋ ପ୍ରିୟ ସାଥୀ ମୋ ବିଦ୍ୟାଳୟ
ଅଭୂଲା ହୋଇଛି ରହି ।।
