ପବିତ୍ର ଜାଗର
ପବିତ୍ର ଜାଗର
ଦେବ ଦେବ ଶିବ ସତ୍ୟ ସୁନ୍ଦର
ଘେନ ମୋର ନମସ୍କାର
ଢାଙ୍କିଛି ବିନାଶେ ବିପରୀତ ବୁଦ୍ଧି
ଅଶାନ୍ତ ତୁମ ସଂସାର
ଜଳୁ ମହାଦୀପ ଘୁଞ୍ଚିଯାଉ ଦୁଃଖ
କାଳ ରାତ୍ରି ହେଉ ଦୂର
ଦେବ ଦେବ
ହେ ପରମଯୋଗୀ ଆହେ ମହେଶ୍ୱର
ହାତରେ ତ୍ରିଶୂଳ ଡମ୍ବରୁ ତୁମର
ମସ୍ତକରୁ ବହେ ଗଙ୍ଗାର ନିର୍ଝର
ସୁଶୋଭିତ ଅର୍ଦ୍ଧଚନ୍ଦ୍ର ବ୍ୟାଘ୍ରଛାଲ
ଭସ୍ମବିଲେପନ ଆହେ ତ୍ରିଲୋଚନ
ବାସୁକୀ ଗଳାର ହାର
ଦେବ ଦେବ
ଶ୍ରୀଫଳ ଗୋରସ ଦୁଦୁରା ଗୟସ
ପ୍ରିୟ ତୁମ ବେଲପତ୍ର
ଅରଖ ଚମ୍ପାରେ ଲଭୁଛ ସନ୍ତୋଷ
ଅମୃତ ଯେ ପଞ୍ଚାମୃତ
ପାଦେ ଥିଲେ ଲୟ ଦୂର ହୁଏ ଭୟ
ଜପୁଥିଲେ ପଞ୍ଚାକ୍ଷର
ଦେବ ଦେବ
ଆୟୁଷ କଳସ ପୁରି ପୁରି ଆସେ
ଶରୀର ହୁଏ ଅବଶ
ବିଶ୍ୱାସ ହରାଏ ନିଃଶ୍ୱାସଟା ଆଜି
ସାହା ତୁମେ ଆଶୁତୋଷ
ରୋଗ ଶୋକ ଦୁଃଖ ନିଅ ସବୁ ହରି
ଗର୍ବ ଈର୍ଷା କ୍ରୋଧ ନରହୁ କାହାରି
ଆହେ ଅର୍ଦ୍ଧନାରୀଶ୍ୱର
ଦେବ ଦେବ
ଶରଣ ରକ୍ଷକ ଆହେ ଅବିନାଶ
ନାହିଁ କାହାରି ହରଷ
ପଙ୍କିଳ ସଂସାରେ ପିୟୁଷ ଅଣ୍ଡାଳି
ମିଳୁଅଛି ଖାଲି ବିଷ
ଖୋଲି ଦିଅ ତୁମ ତୃତୀୟ ନୟନ
ପୁଣି ଥରେ ବିଷ କରି ଦେଇ ପାନ
କଳୁଷକୁ ଦୂର କର
ଦେବ ଦେବ
ତୁମରି ଆଶୀଷେ ସିନ୍ଦୁରା ଫାଟିବ
ନୂଆ ସୂରୁଜ ଉଠିବ
ଅଗତିର ଗତି ତୁମେ ବ୍ରହ୍ମଜ୍ୟୋତି
ଲୋକନାଥ ବିଶ୍ୱନାଥ
ଜାଗର ଦୀପର ପବିତ୍ର ଆଲୋକ
ଅଜ୍ଞାନ ଅନ୍ଧାର କରି ଦେଉ ନାଶ
ହେ ପ୍ରଭୂ ଧବଳେଶ୍ୱର ଦେବ ଦେବ ।
