ପାଠଶାଳା ସ୍ମୃତି
ପାଠଶାଳା ସ୍ମୃତି
ବଦଳିନି ସେଇ ପାଠଶାଳା ଆମ
ବଦଳି ଯାଇଛି ରଙ୍ଗ,
ବୟସର ସେଇ ଅମଡ଼ା ବାଟରେ
ବଦଳି ଯାଇଛି ଢଙ୍ଗ ।
ଅଛି ସିନା ସେଇ ଖେଳ ପଡ଼ିଆଟି
ନାହିଁ ଆଉ ଏକ ମନ,
ଦେହ ମୋର ଆଜି ପରଦେଶେ ଅଛି
ଅରଜିବା ପାଇଁ ଧନ ।
ସମୟର ଘଣ୍ଟା ଚାଲେ ଟିକ୍ ଟିକ୍
ହୁଏନାହିଁ ବାଟବଣା,
ସେଇ ବରଗଛେ ସେଇ ନଦୀ ତୁଠେ
ଖୋଜେ ମୁଁ ସାଥି ଠିକଣା ।
ଦିନ ପରେ ଦିନ ମାସ ପରେ ମାସ
ଯାଉଛି ବରଷ ବିତି,
ଜୀବନରେ କେବେ ଭୁଲି ହୁଏନାହିଁ
ସେହି ବାଲ୍ୟକାଳ ସ୍ମୃତି ।
ଅତୀତର ସେହି ହସଖୁସି ଦିନ
ଆସିବନି ଆଉ ଫେରି,
ଚଗଲା,ବଗଲା ଦୁଷ୍ଟ ଦିନ ସବୁ
ମନେପଡେ ମୋର ଭାରି ।
ଗୁରୁଜୀଙ୍କ ବେତ ପାହାରେ ଏ ହାତ
ଫକ ଫକ ଡ଼େଉଁଥିଲା,
ଦୁଃଖଲାଗେ ଆଜି ସେ କଥା ଭାବିଲେ
କେମିତି ଭୁଲିବି ଭଲା ।
