ପାଟ ଓଢ଼ଣୀ
ପାଟ ଓଢ଼ଣୀ
ମୋ ପିଲାଦିନ କଣ୍ଢେଇ ଖେଳ
ଲୁଚିଲୁଚି ବୋହୂ ବୋହୂକା
ସାଜୁଥିବା ସବୁତକ ଖରାବେଳ
ଢୋଲ, ମହୁରୀ ଛନ୍ଦରେ
ମିଛିମିଛିକା ଶଙ୍ଖ, ହୁଳହୁଳିରେ
ଛୋଟ ଛୋଟ ଖୁସିର ଉଚ୍ଚାଟ ପଣ ,
ଆଂଜୁଳା ଆଂଜୁଳା ଭର୍ତ୍ତି ମୋ ଅଝଟପଣ
ଲୋଚାକୋଚା ବୋଉ'ର ପାଟଓଢ଼ଣୀଟା
ଚୁପ୍ ଚାପ୍ ଆଲଣାରୁ ଟାଣିନିଏ
ମଥାରେ ଢାଙ୍କିହୋଇ ଭାବୁଥାଏ
ବାଜା,ବାଣ ରୋଷଣୀରେ
ପାଲିଙ୍କି ସଜେଇ କେବେ ଆସିବ ମୋ ବର ?
ସବାରୀରେ ବସି ବୋହୂବେଶେ
ମୁଁ ଯିବି ଶାଶୁଘର ।
କେହି ଆଉ କହିବେନି
ଚୁପ୍ ଚାପ୍ ପାଠପଢ ବସି ,
ବେତଛାଟ ବସିବନି
ଚାହାଳୀରୁ ହୋଇଯିବ ଛୁଟି ।
କେତେ ଭୁଲା ଅଭୁଲା ସ୍ମୃତିର ଗନ୍ତାଘର
ଶୈଶବ, କୈଶୋର ଡେଇଁ
ମନେନାହିଁ କେବେ ପାଦ ଛୁଇଁଥିଲା ତାରୁଣ୍ୟର ।
ଲାଲ୍ ଛିଟ ଫ୍ରକ୍ ଛାଡି
ଫୁଲପକା ଶାଢ଼ୀ ପିନ୍ଧିବାକୁ ମନହେଲା ,
ଧୂଳିଖେଳ ଛାଡି
ରୁମାଲରେ ଫୁଲ ବୁଣିବାକୁ ଇଚ୍ଛାହେଲା ।
ହଳଦୀମଖା ଦେହ ବାସ୍ନାରେ
ନଈ ପାଣି ଚହଲିଗଲା ,
ପ୍ରେମ ବର୍ଣ୍ଣବୋଧ ଶିଖୁ ନ ଶିଖୁଣୁ
ତା' ପାଇଁ ବର ଖୋଜା ଚାଲିଲା ।
ଖୁବ୍ ଖୁସି ଥିଲା
ଯେବେ ସବାରୀରୁ ପାଦ ତା'ର
ଶାଶୂଘର ଦାଣ୍ଡ ଦରଜା ଛୁଇଁଲା ।
ଆଜି କାହିଁ ବୋଉ'ର ସେ 'ପାଟଓଢ଼ଣୀଟା '
ତା'କୁ ଖୁବ୍ ଓଜନିଆ ମନେହେଲା ।
ମନେ ପଡୁଥିଲା
ଯାବତୀୟ ଜଞ୍ଜାଳକୁ କେମିତି
ପାଟଓଢ଼ଣୀରେ ସାତଗଣ୍ଠି ଦେଇ
ଶାଢ଼ୀ କାନିରେ ବାନ୍ଧି ରଖିଥିଲା ।
ହଳଦୀରଙ୍ଗୀ, ସୁନାନାକୀ ଝିଅଟି
ଅଝଟପଣକୁ ସ୍ନେହରେ ଆଉଁସି
ମନ ସିନ୍ଦୁକରେ ପକେଇ ଥିଲା କଞ୍ଚିକାଠି
ଆଜି ଜୀବନର ପୃଷ୍ଠା ଓଲଟେଇ
ପଢୁଛି ବସି ,
ମନ ସିଲଟରୁ ଲିଭି ଯାଇନି
ତା ' କୁନି କୁନି ଖୁସି ।