ପାଟ ଅଧର
ପାଟ ଅଧର
ସଞ୍ଜ ବୁଡ଼ି ରାତି ଆସେ ନଇଁ କଳା ଅନ୍ଧାରେ---
ବୋଉ ଜାଳିଦିଏ ଡିବି କି ଲଣ୍ଠନ ଦାଣ୍ଡ ଦୁଆରେ ।
ଜଡ଼ା ତେଲ ଦୀପ ଜଳିଉଠେ --
କାଠ ରୁଖା ଉପରେ ,
ଜେଜେ ବୋଲନ୍ତି ପୁରାଣ, ଭାଗବତ
ଆମ ଠାକୁର ଘରେ ।
ଚଗଲା ମନଟି ନଥାଏ ଆମର ଟିକେ ସେଥିରେ ,
କାନ ଡେରିଥାଉ ଆମେ ଜେଜେମା ଗପ ପେଡିରେ ।
ସାହାଡ଼ା ସୁନ୍ଦରୀ,କଞ୍ଚନେଇ ଫୁଲ, ପୁଣି ବୁଢ଼ୀ ମାଲୁଣୀ ,
ପକ୍ଷୀରାଜ ଘୋଡ଼ା, ରଜା ପୁଅ,ଝିଅଙ୍କର ପ୍ରେମ କାହାଣୀ ।
ଜେଜୀ ପାରିଦିଏ ପାତିଏ କଳା
ତା' କଳାପାତିରେ ,
ସେ କଳାରୁ ଟିକେ ଆଖିରେ ନାଇଲେ
ଅଞ୍ଜନ ପରିକା ଲାଗେରେ ।
ଜେଜୀ ବସିଥାଏ ମଶିଣା ପକେଇ ,ଗୋଡ଼ ଲମ୍ବେଇ --
'କୋଳେ ବସି ତା'ର ପାଠ ଆରମ୍ଭିଲି --
ଖଡି, ସିଲଟରେ "ଠ" ମଡେଇ ।
ମୋ ବହି ବସ୍ତାନି,ବରଡା ଚଟେଇ କାଖରେ ଜାକି --
ଟାଣି ଟାଣି ନେଇ ଚାହାଳୀରେ ମତେ ଛାଡେ ନିଇତି ।
ଗୋଡ଼କୁ କଚାଡି, କାନ୍ଦି କାନ୍ଦି ଯେବେ ଇସ୍କୁଲ ଯାଏ ,
କାନିରୁ ଫିଟେଇ ବୁଟ କି ମଟର ହାତରେ ଦିଏ ।
ବୋଉ ନାଲି ଆଖି,କାନମୋଡା --
ବାପାଙ୍କ ତାଗିଦ୍ ପାଠପଢା,
ଜେଜୀ - ପାଶେ ଥିଲେ, ---
ଭୁଲ୍ କରି ବି ସତେ କି ଲଗାମଛଡା ।
ସତରେ ସେ ଥିଲା ନିଆରା --
ତା ' ଗେହ୍ଲା, ତା' ଶରଧା ,
ସ୍ନେହବୋଳା ତା' ମମତା ଅପାଶୋରା ।
କାହିଁ ହଜିଗଲା ????
ମୋ ଜେଜେମା'ର -- "ପାଟଅଧର"
ମହମହ ବାସ ପାନବଟୁଆରୁ
ଚୁଆଗୁଣ୍ଡି ସାଥେ କେତକୀ ଖଈର ।
କୁମ୍ଭପକା ଶାଢ଼ୀ କାନିରେ ଚାବି ପେନ୍ଥା ନେନ୍ଥାଏ --
ସିନ୍ଦୂର ଟୋପାଟି ମଥାରେ ତାର ଝଟକୁ ଥାଏ ।
ରାତି ଆଜି କଳା ସିଲଟେ ଲେଖି ଲିଭେଇ ଦିଏ ---
ମୋ ଜେଜେମାର ଗପମୁଣିରୁ ଗପ ଉଭେଇ ଯାଏ ।
ଆଉ ମୁଁ ----ଅତୀତର ବାରିପଟେ --
ସେଇ ହଜିଲା ସ୍ମୃତିକୁ ଉଖାରୁ ଥାଏ ।