ପାର୍କର୍ ଆଉ ମୁଁ
ପାର୍କର୍ ଆଉ ମୁଁ
ଜୀବନଟା ପରା ତୁଳନାରେ ଭରା,
ସହିବାକୁ ପଡ଼େ ଯେତେ ,
କ୍ଷମତାଠୁ ବେଶୀ କାର୍ତ୍ତବ୍ୟରେ ପେଷି,
ମିଳେନାହିଁ ମାନ ସେତେ ।
ଗୌଣ ରହେ ଗୁଣ ସୁନ୍ଦରତା ଟାଣ,
ଦେଖାଇ ନିଏ ସାବାସି ,
ହେଲେ ଆଭ୍ୟନ୍ତରେ କଠିନ ଶ୍ରମରେ,
ବହେ ସ୍ୟାହି ମୋର ବେଶୀ ।
କିବା ଦିନରାତି ଦେଶ ପ୍ରିୟା ପ୍ରୀତି,
ଆଖି ମଳି ହୁଏ କାମ ,
କ୍ୟାମେରା ଆଗରେ ଜାକଜମକରେ,
ଚୋରି କରିନିଏ ନାମ ।
ତିନିଶତ ବୋଲି ଆଜି ମନଖୋଲି,
ପକେଟେ ବୁଲଇ ହସି ,
ମୁଦ୍ରା ତିନିଗୋଟି ଖେଦ ମୁଁ ସାଉଁଟି,
ଘରକୋଣେ ରହେ ବସି ।
ମଳିମୁଣ୍ଡିଆରୁ ମହାକାଶ ଯାଏଁ,
ନିମିଷେ ହୁଏ ରଚନା ,
ହେଲେ ଆବୃତ୍ତିରେ ମିଳେନାହିଁ ସ୍ଥାନ,
ଦୂରେ ଥାଏ ତା' ସୂଚନା ।
ଓଜନ ବଢ଼ାଇ ଶଙ୍କା ଉପୁଜାଇ,
ଶୀର୍ଷେ ରହିଥାଏ ସଦା ,
ନିଜ ଉପସ୍ଥିତି ନ୍ୟୁନ ଦରଶାଇ,
ହେଉଅଛି ମୁହିଁ ବିଦା ।