ପାର୍ବଣ
ପାର୍ବଣ
ଝିଅ ଫେରିଲେ
ଲିଭିଯାଏ
ପାର୍ବଣ ପାଦରୁ ଅଳତା
ଖାଁ ଖାଁ ଦି'ପହର ଖରା
ଜମା ଶୁଖାଇ ପାରେନା
ତା'ଓଦା ଓଦା ଡ୍ରେସ୍ ।
ଅତି ଯତ୍ନରେ ସଜାଡି ରଖୁ ରଖୁ
ତଥାପି ଡ୍ରେସିଂ ଟେବୁଲ୍ ଉପରେ
ରହିଯାଇଥାଏ ତା' ଗାଢ ରଂଗର ଆଇବ୍ରୋ
ଗାଧୁଆ ଘରେ ତା' ଛୋଟ ତଉଲିଆ ।
ଆଲୋଭେରା ଗଛର
କଟାପତ୍ର
ତା' ଚିକ୍କଣ ଗାଲର ଭଉଁରି
ତାରି ଭିତରେ
କେମିତି ବହଳ ହୋଇଯାଏ ଲୁହ ।
ବଳକା ଆରିସା ପିଠା
ପାଟିରେ ଦେଇହୁଏନା
କୁଆଁର ପୁନେଇଁ ଜହ୍ନକୁ
ଲୁଚାଏ ମେଘ
ମିଳେନା ଓଷା ବହି
ବୁଢା ହୋଇଯାଏ ଜହ୍ନ, ଜହ୍ନିଫୁଲ ।
ଝିଅ କ'ଣ ଫେରିନଥାନ୍ତା
ଦିଗବଳଳୟ ସେ ପାଖରେ
ଇନ୍ଦ୍ରଧନୁ ପରି ସ୍ଵପ୍ନ ତା'ର
ଏପାଖରେ
ଅପେକ୍ଷାର ଅସରନ୍ତି
ଦି'ପହର
ପାର୍ବଣ ଗୋଟେ କୁଆଁର ପୁନେଇଁର
କରୁଣ ଗୀତ ପରି
ମତେ ଖାଲି କାହିଁକି ଶୁଭେ
ଆଉ ଗୋଟେ ଝିଅ ଆସନ୍ତାନି
ଟିକେ ଖାଲି ସ୍ଵର କରି
ଗାଇ ଦିଅନ୍ତା ଗୀତ
ଖଇ,ଉଖୁଡା,କଇଁଫୁଲରେ
ଚାଂଦ ଆଂକି ଜାଳି ଦିଅନ୍ତା ଦୀପ ।
ଇସ୍
ଏ ସଂଜ ପହର ଏତେ ଅଂଧାରୁଆ କେମିତି ?
ମୁଁ ବି ଆଉ ଜାଳିପାରୁନି ସଂଜଦୀପ
ହାତ ଥରୁଛି
ବୋଧେ ପାର୍ବଣ ସରୁଛି
ଶୁଭୁଛି ବାଜା ।
କିଏ ସେଠି ଅଂଧାରରେ ମତେ
ଖାଲି ହାତ ବଢାଉଛି ।
ପାର୍ବଣ ସରୁଛି
ଗହଳି ଲାଗୁଛି ।