ପାଞ୍ଚ ମାସ ଦଶ ଦିନ
ପାଞ୍ଚ ମାସ ଦଶ ଦିନ
ବହି ମାଗିବାକୁ ଆସି ଥିଲା ସିଏ
ସକାଳୁ ସକାଳୁ ଦିନେ,
ବହି ସାଥେ ମନ ନେଇ ଗଲା ମୋର
ଦେଖିଲି ନିତି ସପନେ ॥
ସେହି ଦିନ ଠାରୁ କରେ ମୁଁ ବାହାନା
ନିତି ଭେଟିବାକୁ ତାକୁ ,
କେବେ ଖାତା କେବେ କଲମ କି ବହି
ଯାଏ ତାକୁ ମାଗି ବାକୁ ॥
ତା ମୁହଁକୁ ଦେଖି ଭୁଲି ଯାଏ ପୁଣି
ଆସିଛି କାହିଁକି ମୁହିଁ ,
କ’ଣ ମାଗିବି କ’ଣ କହିବି ନିଜେ
ଜାଣି ପାରେ ନାହିଁ ॥
ତା ହାତ ପରଶ ପାଇବି ବୋଲି କା
ଜାଣି ଶୁଣି ଛୁଇଁ ଦିଏ,
ତା ଆଖିର ଭାବ ପଢିବା ପାଇଁକି
ବହି ହାତୁ ଖସି ଯାଏ ॥
ବହି ଉଠାଇବା ଆଳରେ ଦେଖେ ମୁଁ
ଆଖିରେ ତା କେତେ କଥା ,
ମନେ ମନେ ମୁଁ ଯେ ମନ କଲମରେ
ଲେଖିଯାଏ ପ୍ରେମ ଗାଥା ॥
ଆଖି ନୁହେଁ ତାର ସତେ କି ଝରଣା
କୁଳୁ କୁଳ ବହି ଯାଏ,
ପ୍ରେମର ପିୟୁଷ ଝରୁଛି ସେଥିରୁ
ପାଗଳ କରିଲା ହାଏ ॥
ମୁହଁଟି ତାର ସତେକି ପୁନେଇ
ଜହ୍ନ ପରି ଦିଶୁଥିଲା,
ଆଖି ଗଲା ଲାଖି ହେଲି ଆନମନା
ଯେବେ ସିଏ ହସି ଦେଲା ॥
ବହି ଦିଆ ନିଆ ଚାଲିଲା ଏମିତି
ପIଞ୍ଚ ମାସ ତିନି ଦିନ,
କଥା କେବେ ମୋର ଆଗକୁ ବଢିବ
ଭାବୁଥିଲା ଏଇ ମନ ॥
ଚତୁର୍ଥ ଦିନକୁ ଆସିଲା ନେଇକି
ବହିକୁ ଦେବାକୁ ମୋର,
ବହିର ପଛରେ ଲେଖା ହୋଇଥିଲା
ତା ନାଁ ସହ ମୋର ॥
ପଞ୍ଚମ ଦିନରେ ଗୋଲାପ ଫୁଲଟେ
ପାଇଲି ବହି ମଝିରେ,
ଦେଖିଲା ପରେ ସେ ଗୋଲାପ ଫୁଲଟି
ନାଚିଲି ଭାରି ଖୁସିରେ ॥
ଷଷ୍ଠ ଦିନକୁ ବହିରୁ ମିଳିଲା
ଗୋଲାପି ଚିଠି ଗୋଟିଏ ,
ଚିଠିର ଭିତରେ ଲେଖା ହୋଇ ଥିଲା
ମୁଁ ତୁମକୁ ଭଲ ପାଏ ॥
ସପ୍ତମ ଦିନକୁ ଆଉ ଆସିଲାନି
ଅପେକ୍ଷାରେ ଥିଲି ତାର ,
ଅଷ୍ଟମ ଦିନରେ ତା ଘରକୁ ଯାଇ
ଦେଲି ତା ଚିଠି ଉତ୍ତର ॥
ବହି ଭିତରେ ମୁଁ ଚିଠିକୁ ରଖିଲି
ଲେଖି ମନ କଥା ମୋର,
ହୃଦୟର ଏକ ଚିତ୍ର ବନେଇ ମୁଁ
ତହିଁ ରେ ମାରିଲି ତୀର ॥
ନବମ ଦିନରେ ପୁଣି ଆସିଲା ସେ
ହାତରେ ନ ଥିଲା ବହି ,
ସିଧା ସିଧା ଆସି ପାଖରେ ବସିଲା
କହିଲା ହସି ଲାଜେଇ ॥
ଆଜି ଠାରୁ ଆଉ ବହି ନିଆ ଦିଆ
ବନ୍ଦ ହୋଇଲା ଜାଣ,
ଭାବ ଦିଆ ନିଆ ଚାଲିବ ଏଥର
ଲେଖିବା ପ୍ରେମ ପୁରାଣ ॥
ଦଶମ ଦିନରୁ ଆରମ୍ଭ ହୋଇଲା
ଆଉ ଏକ ନୂଆ ବହି ,
ସେ ବହିଟିର ନାୟକ ନାୟିକା
ଆମେ ଦୁହେଁ ଥିଲୁ ଯହିଁ ॥
ବହିରେ ବହିରେ ହୋଇଥିଲା ପ୍ରେମ
ସାଜିଲୁ ଜୀବନ ସାଥି ,
ସପନ ଟି ଆମ ସାକାର ହୋଇଲା
ବହି ହେଲା ଆମ ସ୍ମୃତି ॥
(ସସ୍ମିତା ସାହୁ, ନାଶିକ)
