STORYMIRROR

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା - ୪୨

ପାନ୍ଥଶାଳା - ୪୨

1 min
156


ପାନ୍ଥଶାଳା!

ତୁମେ ଅବଶ୍ୟ ମୂକସାକ୍ଷୀ ସବୁ ବିଗତ ମୁହୂର୍ତ୍ତର ।


ଓସ୍ତାଦି ଢଙ୍ଗରେ ତ ତୁମେ ସାଇତି ନେଇଛ

ତୁମ ଗର୍ଭରେ ଦିନେ ସଞ୍ଚରିଥିବା

ସବୁ ଆଶା, ଭରଷା, ସାନ୍ତ୍ବନା ଓ ଆଶ୍ବାସନାର

ଏକ ଅକ୍ଷୟ ଶବ୍ଦ କୋଷ,

ଯା’ର ପ୍ରତିଟିଶବ୍ଦ ବଖାଣି ପାରେ ନିଖୁଣ ଭାବେ  ପିଢି କୁ ପିଢି

ନୂଆ ନୂଆ ପରିମାପକରେ

ଅନେକ ରୋମାଞ୍ଚକାରୀ ଶିହରଣକୁ ।


ପାନ୍ଥଶାଳା!

ତୁମେ କଅଣ କେବେ ଭାବି ଦେଖିଛ

ତୁମ ପରିଧି ଭିତରେ

ଦିନେ ସବୁକିଛି ହରେଇ ସାରିଥିବା ମଣିଷଟି

ଅହରହ ଜଳୁଥାଏ କେମିତି ଦିକ୍‌ଦିକ୍‌ ହୋଇ ହାହୁତାଶରେ

ଅୟୁତ ସୂର୍ଯ୍ୟ ସମ ତେଜିୟାନ୍‌

ତୁମ କାମନାର ଜୁଇରେ, ଅବା

ସଢୁଥାଏ କେମିତି ନିତିଦିନ ପଳପଳ ହୋଇ

ଅବଶିଷ୍ଟ ତା’ର ଲାଞ୍ଛିତ ଜୀବନର

ନିଛାଟିଆ ଅଳସ ଅପରାହ୍ନ ମାନଙ୍କରେ?


ହଁ, ତୁମର ବା’ ଯାଏ ଆସେ କେତେ ?

କାହିଁକି ବା’ ମେଲିବ ତୁମେ କେବେ ତୁମ ଶବ୍ଦ କୋଷ

ପଢିବାକୁ କଦବା କେହି ହାରିଯାଇଥିବା ମଣିଷଟିର ଦୁଃଖଦ ଆତ୍ମଲିପି ।


ତୁମେ ତ ଏବେ ସ୍ମାରକୀଟିଏ ମାତ୍ର,

ବାଲି ସିମେଣ୍ଟ୍‌ ଗଢା ଦରଭଙ୍ଗା ଏକ ସଇତାନର ଆଖଡା ।

ସମୃଦ୍ଧ ରହିଥାଅ ତୁମେ ତୁମ ପରିଚୟ ନେଇ

ବନ୍ଦ କରିଦେଇ ତୁମ ସାହାଣମେଲା ପ୍ରବେଶ ପଥକୁ

ଅନ୍ୟଥା ଧସେଇ ପଶିଯିବେ

ସେଦିନର ସବୁ ହାରିଯାଇଥିବା ମଣିଷ ମାନଙ୍କର

ମହଣିଆ ଡହଡହ ଅଭିଶାପମାନ

ଖିନ୍‌ଭିନ୍‌ କରିଦେବାକୁ ତୁମର ଅବଶିଷ୍ଟ ସ୍ଥିତି ।



Rate this content
Log in