ପାଣି
ପାଣି
ଆମକୁ ସୂର୍ଯ୍ୟ ବେଳେ ବେଳେ
ଶୋଷିନିଏ ଧୂଆଁ କରି ତା ଆଡକୁ
ନୀଳ ଆକାଶେ ପହଁରାଇ ପହଁରାଇ ହାଲିଆ କରାଏ ।
ଯିଏ ସେ ଶୂନ୍ୟତାରେ
କରିପାରେନା ଉପଯୋଜନ
ତାକୁ ସେ କଚାଡିଦିଏ ପଙ୍କିଳ ପୃଥିବୀକୁ
ବର୍ଷା ନଚେତ ପତ୍ରରେ କାକର ଟୋପାମାନ କରି ।
ଆମେ ତ ସବୁବେଳେ ନିମ୍ନଗାମୀ
ବହିଯାଉ ଢିପରୁ ଖାଲ ଆଡକୁ
ନଚେତ ମାଟି ଉପରୁ ରସାତଲକୁ
ଅନବରତ ଆମର ଇଚ୍ଛା
ବହି ଚାଲିବା ପାଇଁ
ଅତି ତଳକୁ ତଳକୁ ।
କେତେଵେଳେ ସୂର୍ଯ୍ୟର ପାଟିରେ ପଶିବା ଆଗରୁ
ଆମେ ତା ଆଢୁଆଳେ ରହି ପଥର ପାଲଟିଯାଉ
ଚୁପଚାପ ବସି ଏକା ଜାଗେ
ସ୍ଥିର କରୁ ଏଣ୍ଡୁଅ ପରି
ବାଟ ଚାଲିବା ଆଗରୁ
କିଛି ସମୟ ଭାବି ବସୁ ।
ସେତେବେଳେ ଆମେ ପୁରାପୁରି
ଦାର୍ଶନିକ ମନୋଭାବ ନେଇ ବାଢୁଥାଉ
ଯୁକ୍ତି ପରେ ଯୁକ୍ତି
ସୂର୍ଯ୍ୟଙ୍କର ସପକ୍ଷରେ ଓ ବିପକ୍ଷରେ ।
ଅବସ୍ଥାର ଗୁରୁତ୍ଵ ଦୃଷ୍ଟିରୁ
ଆମେ ବହୂରୂପୀ ପରି ପାଲଟିବାକୁ ହୁଏ
ତିନି ଗୋଟି ଅଦ୍ଭୁତ ଜୀବ
ଦେବତା ରାକ୍ଷସ ନ ହେଲେ ଦାର୍ଶନିକ। ।
ଏସବୁ ତ ସୂର୍ଯ୍ୟ ହାତ ସଫେଇ
କେତେବେଳ ଉପରକୁ ଶୋଷିନିଏ
ତ ତଳକୁ କଚାଡି ଦିଏ ।
ପୁଣି ଛାଡି ଦେଇଯାଏ ଆଢୁଆଳେ
ଏମିତି ତ ଆମ ଜଳଚକ୍ର
ଘୁରୁଥାଏ ଅହରହ
ଘୁରୁଥାଏ ଅହରହ
ସେଥିପାଇଁ
ବେଙ୍ଗ କହେ ବେଙ୍ଗୁଲି ଲୋ
ମହୀ କ୍ଷଣ କ୍ଷଣକୁ ଆନ ।।
